୪ କୁଖ୍ୟାତ ଅପରାଧୀ ଗିରଫ, ପିସ୍ତଲ ଓ ଭୁଜାଲି ଜବତ

ଖୋର୍ଧା: ବିଭିନ୍ନ ଆପରାଧିକ କାର୍ଯ୍ୟରେ ଜଡ଼ିତ ୪ ଦୁର୍ଦାନ୍ତ ଅପରାଧୀଙ୍କୁ ଖୋର୍ଧା ସଦର ଥାନା ପୁଲିସ ଗୁରୁବାର ଗିରଫ କରିଛି। ସେମାନେ ହେଲେ, ଖୋର୍ଧା ଟାଉନ୍‌ ଥାନା ଅନ୍ତର୍ଗତ ସାମନ୍ତରାପୁର ସ୍ୱପ୍ନେଶ୍ୱରସାହିର କମଳ କୁମାର ପ୍ରଧାନ ଓରଫ ଅଖୁ (୩୧), ଶାଗୁଆନ ବଗିଚା ଶ୍ରୀରାମପୁରର ସୋମନାଥ ଭୁଜବଳ ଓରଫ ପାକୁ (୨୪), ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଞ୍ଚଳର ନିଲୁ ବରାଳ (୨୨) ଓ ସଂଜୀବ ମହାନ୍ତି (୩୨)। ସେମାନଙ୍କଠାରୁ ୯ ଏମ୍‌ଏମ୍‌ର ଏକ ପିସ୍ତଲ, ୬ ରାଉଣ୍ଡ ଗୁଳି, ଏକ ଭୁଜାଲି, ଦୁଇଟି ଲାଠି, ୪ଟି ମୋବାଇଲ ଏବଂ ଏକ ଧଳାରଙ୍ଗର ବଲେରୋ (ଓଡି-୦୨-ଟି-୨୧୨୨)କୁ ପୁଲିସ ଜବତ କରିଛି। ଏମାନଙ୍କ ନାମରେ ହତ୍ୟା ଉଦ୍ୟମ, ଡକାୟତି, ଚୋରି, ଡ୍ରଗ୍‌ସ ବ୍ୟବସାୟ ଭଳି ବହୁ ସଂଗିନ୍‌ ମାମଲା ବିଭିନ୍ନ ଥାନାରେ ଥିବା ଜଣାପଡ଼ିଛି। ସଦର ଥାନା ପୁଲିସ ନମ୍ବର ଦଫା ୩୯୯, ୪୦୨, ଆର୍ମସ ଆକ୍ଟ ୨୫/୨୭ରେ ନମ୍ବର ୫୧/୧୮ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରିଛି। ଗୁରୁବାର ଏହି ଅଭିଯୁକ୍ତମାନେ ତାପଙ୍ଗ ଟାଙ୍ଗୁରିମୁଣ୍ଡିଆ ଅଞ୍ଚଳରେ ଏକ ବଡ଼ଧରଣର ଅପରାଧ ଘଟାଇବାକୁ ଯୋଜନା କରୁଥିବା ଖବର ପାଇ ଆଇଆଇସି ବିକ୍ରମ କେଶରୀ ଜେନାଙ୍କ ନେତୃତ୍ଵରେ ଯାଇଥିବା ପୁଲିସ ଦଳ ୧୬ନମ୍ବର ଜାତୀୟ ରାଜପଥର ଏସିସି ଛକ ନିକଟରେ ଅଭିଯୁକ୍ତମାନଙ୍କୁ କାବୁ କରିଥିଲା।

ସମ୍ବନ୍ଧିତ ଖବର