ଜେଲ୍‌ ଗଲେ ୪ କିନ୍ନର

ଖଣ୍ଡଗିରି : ରବିବାର ସ୍ଥାନୀୟ ଜୟଦେବ ବାଟିକା ରାସ୍ତାରେ ଜଣେ କଲେଜ ଛାତ୍ରଙ୍କୁ ଅଟକାଇ ମାଡ଼ ମାରିବା ସହ ଟଙ୍କା ଛଡ଼ାଇବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ୪ କିନ୍ନରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଅନୁଗୁଳ ରେଙ୍ଗାଲି ଡ୍ୟାମ୍‌ ଅଞ୍ଚଳର କଙ୍ଗନା କିନ୍ନର ଓରଫ୍‌ ଜ୍ୟାକ୍‌, ଭଦ୍ରକ ବସନ୍ତିଆ ଅଞ୍ଚଳର ପ୍ରକାଶ ସାହୁ, ଦେବଗଡ଼ ବାରକୋଟ୍‌ ଅଞ୍ଚଳର ଦମୟନ୍ତୀ ପ୍ରଧାନ ଓରଫ୍‌ ନିଲୁ ଓ ଗୋଆ ଧୂଲେ ଅଞ୍ଚଳର ଆନି ଦତ୍ତା। ଏହି କିନ୍ନରମାନେ ସମସ୍ତେ ଭରତପୁରରେ ରହୁଛନ୍ତି। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିିଆଯାଇଛି।

ରବିବାର ରାତି ପ୍ରାୟ ସାଢ଼େ ୮ଟାରେ ଜଣେ କଲେଜ ଛାତ୍ର ବାଇକ୍‌ ନେଇ ଜୟଦେବ ବାଟିକା ରାସ୍ତାରେ ଯାଉଥିବାବେଳେ ଏହି ୪ ଜଣ ତାଙ୍କୁ ଅଟକାଇ ଟଙ୍କା ମାଗିଥିଲେ। ସେ ଟଙ୍କା ନ ଦେବାରୁ ଅଭିଯୁକ୍ତମାନେ ତାଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ରୁଣ୍ଡ ହୋଇ ୪ କିନ୍ନରଙ୍କୁ କାବୁ କରି ନେଇଥିଲେ। ଖବର ପାଇ ଖଣ୍ଡଗିରିି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କଠାରୁ କିନ୍ନରମାନଙ୍କୁ ଉଦ୍ଧାର କରିଥିଲା। ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ୍‌ ମାସରେ ଏଭଳି ଏକ ଘଟଣାରେ କିନ୍ନରମାନେ ଜଣେ ନାଗା ସାଧୁଙ୍କୁ ରାସ୍ତାରେ ପିଟିଥିଲେ। ପୁଲିସ ୭ ଜଣ କିନ୍ନରଙ୍କୁ ଗିରଫ କରିଥିଲା। ପୁଣି କିଛି ଦିନ ହେଲା ଏହି ଅଞ୍ଚଳରେ କିନ୍ନରମାନଙ୍କ ପ୍ରାଦୁର୍ଭାବରେ ସ୍ଥାନୀୟ ଲୋକ ଅତିଷ୍ଠ ହେଲେଣି। ଲୋକେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର