୪ ବର୍ଷର ଝିଅକୁ ତତଲା ତାଓ୍ଵା ଉପରେ ବସାଇଲେ ମା ଓ ତାଙ୍କ ପ୍ରେମିକ

ହାଇଦ୍ରାବାଦ: ଜଣେ ୪ ବର୍ଷିୟ ବାଳିକାକୁ ତା’ର ମାଆ ଓ ତାଙ୍କର ଲିଭ୍‌-ଇନ୍‌ ବୟଫ୍ରେଣ୍ଡ୍‌ ତତଲା ତାଓ୍ଵା ଉପରେ ବସାଇଥିବା କୁହାଯାଉଛି। ରବିବାର ଦିନ ଘଟଣାଟି ଲୋକଲୋଚନକୁ ଆସିଛି। ଉଭୟ ସେ ଝିଅଟିକୁ ଏକ ଭରୋସା ସେଣ୍ଟର୍‌କୁ ନେଇ କହିଥିଲେ କି ସେ ବିଚାରୀ ଅନାଥିନୀଟିଏ। ଆହତ ଅବସ୍ଥାରେ ସେମାନେ ତାକୁ ରେଳ ଷ୍ଟେସନ୍‌ରୁ ପାଇଛନ୍ତି।

ଏସ୍‌ଆର୍‌ ନଗର ଇନ୍‌ସ୍‌ପେକ୍ଟର୍‌ ମହମଦ୍‌ ଓ୍ଵାହୀଦୁଦ୍ଦିନ୍‌ କହନ୍ତି: ରବିବାର ସକାଳେ ଦୁହେଁ ନାମ୍ପାଲିସ୍ଥିତ ଭରୋସା ସେଣ୍ଟର୍‌କୁ ଯାଇ ଅଧିକାରୀମାନଙ୍କୁ କହିଲେ ଯେ ସେମାନେ ରେଳଷ୍ଟେସନ୍‌ରୁ ପିଲାଟିକୁ ପାଇଥିଲେ। ତାକୁ ପୋଷ୍ୟ କନ୍ୟା କରିବାକୁ ଚାହୁଁଛନ୍ତି, କିନ୍ତୁ ସେ ରହିବାକୁ ରାଜି ହେଉନାହିଁ।

ଅଧିକାରୀମାନେ ତାଙ୍କ କଥା ବିଶ୍ୱାସ କଲେ ନାହିଁ। ସେମାନେ ଦୁହିଁଙ୍କୁ ଗୁଡ଼େଇ ତୁଡ଼େଇ ପଚରା ଉଚୁରା କରିବାରୁ ମହିଳା ଜଣକ ମାନିଲେ ଯେ ଝିଅଟି ତା’ର। ଏବେ ସେ ତା’ କବଳରୁ ମୁକ୍ତି ପାଇବାକୁ ଚାହୁଁଛି। ଭରୋସା ସେଣ୍ଟର୍‌ର ଅଧିକାରୀମାନେ ଚାଇଡ୍‌ଲାଇନ୍‌ ଏବଂ ଏସ୍‌ଆର୍‌ ନଗର ପୁଲିସକୁ ସୂଚନା ଦେଲେ। ସେମାନେ ଆସି ଦୁହିଁଙ୍କୁ ଅଟକ ରଖିଛନ୍ତି।

ତଦନ୍ତ କରି ପୁଲିସ ଜାଣିଲା, ଝିଅର ମା’ ଲଳିତା ଶ୍ରୀକାକୁଲମ୍‌ର ବାସିନ୍ଦା। ସ୍ୱାମୀ ଏବଂ ତିନି ଝିଅଙ୍କୁ ଛାଡ଼ି ପ୍ରେମିକ ପ୍ରକାଶ ସହ ଦୁଇ ମାସ ତଳେ ହାଇଦ୍ରାବାଦକୁ ପଳାଇ ଆସିଛି। ଏସ୍‌ ଆର୍‌ ନଗରସ୍ଥିତ ଏକ ହଷ୍ଟେଲ୍‌ରେ ଉଭୟ କାମ ପାଇବା ସହ ସେ ଅଞ୍ଚଳରେ ରହିବାକୁ ଘରଟିଏ ପାଇଯାଇଥିଲେ।

ଝିଅଟିକୁ ପାଖରେ ରଖିବାକୁ ପ୍ରକାଶ ଚାହୁଁ ନ ଥିଲା। ଏଥିପାଇଁ ସେ ବରାବର ଲଳିତାକୁ ହଇରାଣ କରୁଥିଲା। ତିନି ଦିନ ତଳେ ଲଳିତା ନିଜ ଝିଅକୁ ଗୋଟାଏ ତତଲା ତାଓ୍ଵାରେ ବସାଇ ଦେଇଥିଲା। ଫଳରେ ଝିଅଟି ଭୀଷଣ ପୋଡ଼ି ଯାଇଥିଲା। ପୋଡ଼ା ଘା କଥା ପଚାରିଲାରୁ ଲଳିତା କହିଥିଲେ କି ଝିଅ ଗୋଟାଏ ଲ୍ୟାପ୍‌ଟପ୍‌ ପକାଇ ଦେବାରୁ ସେ ତାକୁ ଚଟକଣାଏ ମାରିଥିଲେ। ସେଥିରେ ସେ ଯାଇ ଗୋଟାଏ ତାଓ୍ଵାରେ ପଡ଼ି ଯାଇଥିଲା।

ଏ ଘଟଣାର ତଦନ୍ତ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର