୪୦ବର୍ଷୀୟା ମହିଳା ବନ୍ଧୁକ ମୁନରେ ତାଙ୍କ ୨୦ବର୍ଷୀୟ ସ୍ୱାମୀର ଦୁଇ କାନ କାଟିନେଲେ

କୋଲକାତା: ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକ୍ରମରେ ଜଣେ ମହିଳା ବନ୍ଧୁକ ମୁନରେ ତାଙ୍କ ସ୍ୱାମୀଙ୍କ ଦୁଇକାନ କାଟି ଦେଇଛନ୍ତି। ମଙ୍ଗଳବାର ଦିନ କୋଲକାତାର ନାର୍କେଲଡଙ୍ଗାରେ ଏହି ଘଟଣା ଘଟିଛି। ନିଜ ସ୍ୱାମୀଠାରୁ ୨୦ବର୍ଷ ବଡ଼ ଏହି ମହିଳା ତାଙ୍କ ସାନ ଭଉଣୀ ସହଯୋଗରେ ସ୍ୱାମୀର କାନ କାଟିଛନ୍ତି। ୪୦ବର୍ଷୀୟା ମମତାଜ ୨୦ବର୍ଷୀୟ ତନ୍‌ଭୀରଙ୍କୁ ବିବାହ କରିବା ପରଠାରୁ ଦୁହିଁଙ୍କ ଭିତରେ କଳହ ଲାଗି ରହିଥିଲା।

ଘଟଣାରୁ ପ୍ରକାଶ ୨ବର୍ଷ ପୂର୍ବେ କିଛି ସାଙ୍ଗଙ୍କ ପ୍ରରୋଚନାରେ ପଡ଼ି ନିଜଠାରୁ ୨୦ବର୍ଷ ବଡ଼ ମମତାଜଙ୍କୁ ବିବାହ କରିଥିଲେ ତନ୍‌ଭୀର। ଏହାପରଠାରୁ ତାଙ୍କ ଉପରେ ମମତାଜ ଓ ତାଙ୍କ ଭଉଣୀମାନଙ୍କ ନିର୍ଯାତନା ଆରମ୍ଭ ହୋଇ ଯାଇଥିଲା। ଅନେକବାର ସେ ଲୁଚି ପଳାଇ ଆସିବା ଲାଗି ଉଦ୍ୟମ କରିଥିଲେ ମଧ୍ୟ ମମତାଜ୍‌ଙ୍କ ଗୁଣ୍ଡାମାନେ ତାଙ୍କୁ ଧରି ଆଣୁଥିଲେ। ମଙ୍ଗଳବାର ରାତିରେ ମମତାଜ ଓ ତାଙ୍କ ଭଉଣୀ ତନ୍‌ଭୀରଙ୍କୁ ବନ୍ଧୁକ ଦେଖାଇ ତାଙ୍କର ଦୁଇକାନ କାଟି ଦେଇଥିଲେ। ଏହାପରେ ସେମାନେ ତନ୍‌ଭୀର ମରିଯାଇଛି ବୋଲି ଭାବି ତାଙ୍କୁ ଫୋପାଡି ଦେଇଥିଲେ। ତନ୍‌ଭୀର କହିଛନ୍ତି ଯେ, ସେମାନେ ମୋ କାନ କାଟି ଦେଲେ। ଯଦି ମୁଁ ବିରୋଧ କରିଥାଆନ୍ତି, ତେବେ ମୋତେ ଜୀବନରୁ ମାରି ଦେଇଥାଆନ୍ତେ।

ଅନ୍ୟପକ୍ଷରେ ତନଭୀରଙ୍କ ପରିବାରଲୋକ ପୁଲିସ ଜାଣିଶୁଣି ମମତାଜଙ୍କୁ ଗିରଫ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି, ପୁଲିସ କହିଛି ଯେ ମମତାଜ ନିଖୋଜ ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର