ରାଉରକେଲା: ନଗଦ ୩ଲକ୍ଷ ଟଙ୍କା, ୪ଶହ ଗ୍ରାମ ଚୋରା ସୁନା ଅଳଙ୍କାର ସହିତ ୫ଜଣଙ୍କୁ ଗିରଫ କଲା ପୁଲିସ

ରାଉରକେଲା: ୪ ଦିନ ତଳେ ରାଉରକଲାର ବିଶ୍ରା ରୋଡ୍‌ରେ ଥିବା ଡାକ୍ତର ମନମୋହନ ଆନନ୍ଦଙ୍କ ଘରୁ ଡକାୟତମାନେ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ନଗଦ ଅର୍ଥ ଓ ସୁନାଗହଣା ଲୁଟି ନେଇଥିଲେ।। ଏହି ଘଟଣାରେ ପ୍ଲାଣ୍ଟ ସାଇଟ୍‌ ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ପ୍ରାୟ ୧୬ ଲକ୍ଷ ୬୯ହଜାର ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଜବତ କରିଛନ୍ତି।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତର ଆନନ୍ଦଙ୍କ ପରିବାର ବାହାରକୁ ଯାଇଥିବା ବେଳେ ଡକାୟତମାନେ ଘରେ ପଶି ଗତ ୧୭ ତାରିଖରୁ ୨୨ ତାରିଖ ମଧ୍ୟରେ ନଗଦ ଟଙ୍କା, ଅଳଙ୍କାର, ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ର୍ରୀ ଲୁଟି ନେଇଥିଲେ। ଡାକ୍ତର ଆନନ୍ଦ ୨୨ ତାରିଖରେ ଫେରି ଘରୁ ଚୋରି ହୋଇଥିବା ଜାଣି ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ତଦନ୍ତ କରି ପୁଲିସ ପ୍ଲାଣ୍ଟସାଇଟ୍‌ ଥାନାର ବିଭିନ୍ନ ବସ୍ତିରେ ରହୁଥିବା ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ ପୋଥାଳ( ଘର ଯାଜପୁର ଜିଲ୍ଲା ବାରୁଆଁ), ବିଜୟ ପ୍ରସାଦ( ଗୁମଲା, ଝାଡ଼ଖଣ୍ଡ) ଓ ସନ୍ତୋଷ ସୋନି( ପ୍ଲାଣ୍ଟ ସାଇଟ ଥାନା)। ସେହିପରି ଏହି ଅଭିଯୁକ୍ତମାନଙ୍କ ଠାରୁ ଚୋରା ସୁନା କିଣିଥିବା ଦୀପକ ପ୍ରସାଦ ଓ ବିଜୟ ବାଜଗେଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ନଗଦ ୩ ଲକ୍ଷ ୫ ହଜାର ଟଙ୍କା ଓ ୪ଶହ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରାଯାଇଛି।

ସମ୍ବନ୍ଧିତ ଖବର