ବନ୍ଧୁକ ଦେଖାଇ ୫ ଲକ୍ଷ ଲୁଟ୍‌

ଫୁଲବାଣୀ / ଦାରିଙ୍ଗବାଡ଼ି: କନ୍ଧମାଳର ଦାରିଙ୍ଗିବାଡ଼ି ଅଞ୍ଚଳରେ ଆଜି ଏକ ଲୁଟ୍‌ ଘଟଣା ଘଟିଛି। ଦୁର୍ବୃତ୍ତମାନେ ଜଣେ ସ୍କୁଲ୍‌ ପରିଚାଳକଙ୍କୁ ବନ୍ଧୁକ ଦେଖାଇ ୫ ଲକ୍ଷ ୨୩ ହଜାର ଟଙ୍କା ଲୁଟ୍‌ କରିଛନ୍ତି। ଏପରିକି, ସେ ରହୁଥିବା ଜାଗା ଛାଡ଼ି ଚାଲିଯିବାକୁ ଧମକ ଦେଇଛନ୍ତି। ସ୍କୁଲ୍‌ ବିବାଦ କିମ୍ବା ଅନ୍ୟ କୌଣସି କାରଣରୁ ଏହି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ସନ୍ଧାନ ପାଇନଥିବା ଜଣାପଡ଼ିଛି। ସମୟ ପ୍ରାୟ ସକାଳ ସାଢ଼େ ନଅଟା । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବାଲିଗୁଡ଼ା-ଦାରିଙ୍ଗବାଡ଼ି ରାସ୍ତା ପାଟ୍ଟାଙ୍ଗି ଗ୍ରାମ ନିକଟ ନିର୍ଜନ ରାସ୍ତାରେ ଯାଉଥିଲେ ଏକ ଘରୋଇ ସ୍କୁଲ ପରିଚାଳକ ଏମ୍‌.ଡି.ନୁରଲି। ପାଖରେ ଥିଲା ୫ ଲକ୍ଷ ୨୩ ହଜାର ୯୩୩ ଟଙ୍କା। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମାସିକ ଫି’, ନାମଲେଖା ଓ ଡୋନେସନ ଅର୍ଥ ବାବଦରେ ସଂଗ୍ରହ ହୋଇଥିବା ଏହି ଟଙ୍କାକୁ ଫୁଲବାଣୀ ସ୍ଥିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଜମା କରିବାକୁ ମୋଟରସାଇକଲରେ ଯାଉଥିଲେ। ଏହି ସମୟରେ ଦୁର୍ବୃୃତ୍ତମାନେ ବନ୍ଧୁକ ଦେଖାଇ ନୁରଲିଙ୍କଠାରୁ ଟଙ୍କା ଲୁଟ୍‌ କରିଥିଲେ। ଖବର ପାଇ ବାଲିଗୁଡ଼ା ଏସ୍‌ଡିପିଓ କେ.ନେ.ଡାଗୁଡ୍‌ ଦାରିଙ୍ଗବାଡ଼ିରେ ପହଞ୍ଚି କରି ଘଟଣାର ଅନୁଧ୍ୟାନ କରିଛନ୍ତି । ତେବେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ପୁଲିସ ଲୁଟେରାଙ୍କ ଟେର ପାଇ ପାରି ନାହିଁ।

ସମ୍ବନ୍ଧିତ ଖବର