ଡିକି ଭାଙ୍ଗି ୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍‌

ବାଲିଅନ୍ତା: ମଙ୍ଗଳବାର ବିଳମ୍ବିତ ରାତିରେ ବାଳକାଟି ବଜାରରେ ଏକ ବଡ଼ଧରଣର ଲୁଟ୍‌ ହୋଇଛି। ସ୍ଥାନୀୟ ନୂଆପାଟଣା ଗ୍ରାମର ସନ୍ତୋଷ ମହାପାତ୍ରଙ୍କ ଗାଡ଼ି ଡିକି ଭାଙ୍ଗି ୨ଜଣ ଦୁର୍ବୃତ୍ତ ପ୍ରାୟ ଦେଢ଼ ଶହ ଗ୍ରାମର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଲୁଟ୍‌ ହୋଇଥିବା ଅଳଙ୍କାରର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି। ବାଳକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି। ବାଳକାଟି ଫାଣ୍ଡି ଅଧିକାରୀ ଓ ପିସିଆର୍‌ ଗାଡ଼ି ଦୁର୍ବୃତ୍ତମାନଙ୍କ ପିଛା କରିଥିଲେ ହେଁ ସେମାନଙ୍କୁ ଧରିବାରେ ସକ୍ଷମ ହୋଇ ନାହିଁ। ବାଳକାଟି ବଜାରରେ ସନ୍ତୋଷଙ୍କର ଗଣେଶ ଜୁଏଲାରି ଆଣ୍ଡ ୱାର୍କସପ ନାମକ ଏକ ଦୋକାନ ରହିଛି। ସେ ରାତି ପ୍ରାୟ ୧୧ଟାରେ ଦୋକାନ ବନ୍ଦ କରି ଘରକୁ ବାହାରିଥିଲେ। କିଛି ଅଳଙ୍କାରକୁ ଏକ ବ୍ୟାଗ୍‌ରେ ଭର୍ତ୍ତି କରି ଗାଡ଼ି ଡିକିରେ ରଖିବା ପରେ ଦୋକାନ ତାଲା ପକାଇବାକୁ ଯାଇଥିଲେ। ଏହି ସୁଯୋଗରେ ୨ଜଣ ଦୁର୍ବୃତ୍ତ ଏକ ପଲସରରେ ଆସି ସନ୍ତୋଷଙ୍କ ଗାଡ଼ି ଡିକି ଭାଙ୍ଗି ସୁନା ଗହଣା ଭର୍ତି ବ୍ୟାଗ ଲୁଟି ନେଇଥିଲେ। ଘଟଣାସ୍ଥଳରେ ସନ୍ତୋଷଙ୍କ ବାପା ଉପସ୍ଥିତ ଥିଲେ ହେଁ ପ୍ରଥମେ ସେ କିଛି ଜାଣିପାରିନଥି‌ଲେ। ପରେ ଏ ସଂପର୍କରେ ଜଣାପଡ଼ିବାରୁ ସନ୍ତୋଷ ଚୋର ଚୋର ବୋଲି ଚିତ୍କାର କରିଥିଲେ। ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ସେଠାରେ ପହଞ୍ଚି ତଦନ୍ତ କରିଥିଲା। ଉଲ୍ଲେଖଯୋଗ୍ୟ, ଗତକାଲି ସଂଧ୍ୟାରେ ୩ ଜଣ ଯୁବକ ଟଙ୍କପାଣି ବ୍ରିଜ୍‌ ରଙ୍ଗବଜାର ନଦୀବନ୍ଧ ରାସ୍ତାରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ମାରି ୧ ଲକ୍ଷ ୭୨ ହଜାର ଟଙ୍କା ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର