ବର ପକେଟ୍‌ରୁ ନେଇଗଲେ ୫୦ ହଜାର ଟଙ୍କା

ପୁରୁଣା ଭୁବନେଶ୍ବର: ବାହାଘର ବେଳେ ବରଠାରୁ ହୋଇଛି ଲୁଟ୍‌। ବର ପକେଟ୍‌ରେ ହାତ ପୂରାଇ ନେଇ ଯାଇଛନ୍ତି ୫୦ ହଜାର ଟଙ୍କା। ଲୁଟ୍‌ର ଶିକାର ହୋଇଥିବା ବର ନୟାଗଡ଼ର ସନ୍ଦୀପ ଷଡ଼ଙ୍ଗୀ। ଏ ନେଇ ଆଜି ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସୂଚନା ଅନୁଯାୟୀ, ଗତ ୨୭ ତାରିଖରେ ଶ୍ରୀ ଷଡ଼ଙ୍ଗୀ ସ୍ଥାନୀୟ କେଦାରଗୌରୀ ମନ୍ଦିରକୁ ବିବାହ ପାଇଁ ଆସିଥିଲେ। ବରଯାତ୍ରୀ ପହଞ୍ଚିବା ପରେ ମନ୍ଦିର ସମ୍ମୁଖରେ ବାଟ ବରଣି ହୋଇଥିଲା। ପରେ କନ୍ୟାର ଭାଇ ଓ ସାଙ୍ଗ ବରକୁ ଉଠାଇ ବେଦୀକୁ ନେଉଥିଲେ। ଏହି ସମୟରେ ବରଯାତ୍ରୀ ବେଶରେ ଆସିଥିବା ଜଣେ ଯୁବକ ଶ୍ରୀ ଷଡ଼ଙ୍ଗୀଙ୍କ ପକେଟ୍‌ରେ ହାତ ପୂରାଇ ଟଙ୍କା ଲୁଟି ନେଇଥିଲା। ତେବେ ସେତେବେ‌ଳେ ଏ ସଂପର୍କରେ ସେ କିଛି ଜାଣି ପାରି ନଥିଲେ। ବେଦୀରେ ହସ୍ତଗଣ୍ଠି ଫିଟାଇବା ବେଳେ ଟଙ୍କା ଲୁଟ୍‌ ସଂପର୍କରେ ଜଣାପଡ଼ିଥିଲା। ଏନେଇ ଶ୍ରୀ ଷଡ଼ଙ୍ଗୀ ଆଜି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର