୫୨ ଗ୍ରାମ୍‌ ବ୍ରାଉନସୁଗାର ଜବତ: ୩ ବେପାରୀ ଗିରଫ

ଭୁବନେଶ୍ୱର: ଗତକାଲି ଅପରାହ୍‌ଣରେ ଏୟାରପୋର୍ଟ ଥାନା ଓ କ୍ୟୁଏଟିକୁ ଏକ ବଡ଼ ସଫଳତା ମିଳିଛି। ଦୀର୍ଘ ଦିନ ଧରି କୋଲକାତାରୁ ବ୍ରାଉନସୁଗାର ଆଣି ଭୁବନେଶ୍ବରରେ ବେପାର କରୁଥିବା ୩ ବେପାରୀଙ୍କୁ ଗିରଫ କରିବା ସହ ୫୨.୨୩ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଦୁଇଟି ସ୍ବତନ୍ତ୍ର ଟିମ୍‌ ପଳାସପଲ୍ଲୀ ଓଭରବ୍ରିଜ୍‌ ତଳେ ଚଢ଼ଉ କରି ଏହି ସଫଳତା ପାଇଛନ୍ତି। ଅଭିଯୁକ୍ତମାନେ ହେଉଛନ୍ତି ବାଲେଶ୍ବର ଜଳେଶ୍ବର ରାଜପୁର ବସ୍ତିର ସେକ୍‌ ଅସ୍‌ରଫ୍‌ ଓ ସେକ୍‌ ରହିମ୍‌, ଗଞ୍ଜାମ ଭଞ୍ଜନଗରର ଆମ୍ବପୁଆର ଚିତ୍ତରଞ୍ଜନ ଦଳେଇ। ସେମାନଙ୍କ ଠାରୁ ଏକ ମୋଟର ସାଇକେଲ୍‌(ଓଡି ୦୧ୱାଇ-୮୧୯୬), ୩ ହଜାର ଟଙ୍କା ଓ ୩ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ଏୟାରେପୋର୍ଟ ଥାନାରେ ଏସ୍‌ଆଇ ଗାୟତ୍ରୀ ମହାପାତ୍ରଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ ହେବା ସହ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜବତ ନିଶାଦ୍ରବ୍ୟର ବଜାର ଦର ୨ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। ଏମାନଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି।

ସେକ୍‌ ଅସରଫ୍‌ ଓ ସେକ୍‌ ରହିମ ବାଲେଶ୍ବରରେ ରୁହନ୍ତି। ଚିତ୍ତରଞ୍ଜନ କ୍ୟାପିଟାଲ ହସ୍‌ପିଟାଲ ପଛରେ ଏକ ବସ୍ତିରେ ରୁହେ। ଏମାନଙ୍କ ସହ ଚିତ୍ତରଞ୍ଜନ ନିଶା ଖାଇବା ବେଳେ ପରିଚିତ ହୋଇଥିଲା। ପରେ ସେମାନେ ଏକାଠି ହୋଇ ବେପାର କରୁଥିଲେ। ଅରସଫ୍‌ ଓ ରହିମ କଲିକତାରୁ ନିଶାଦ୍ରବ୍ୟ ଆଣି ଚିତ୍ତକୁ ଦେଉଥିଲେ। ଚିତ୍ତ ଏଠାରେ ଛୋଟ ଛୋଟ ବେପାରୀଙ୍କୁ ମାଲ୍‌ ଯୋଗାଉଥିଲା।

ସମ୍ବନ୍ଧିତ ଖବର