୧୫ ବର୍ଷୀୟା ନାବାଳିକାଙ୍କୁ ବିବାହ କରି ଗିରଫ ହେଲେ ୫୩ ବର୍ଷୀୟ ଆଇନଜୀବୀ

ମୁମ୍ବାଇ: ୨୦୧୫ ମସିହାରେ ମୁମ୍ବାଇ ହାଇକୋର୍ଟର ଜଣେ ୫୩ ବର୍ଷୀୟ ଆଡଭୋକେଟ୍‌ ୯ମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ବିବାହ କରି ଏବେ ଅଡ଼ୁଆରେ ପଡ଼ିଛନ୍ତି। ଏହି ଆଇନଜୀବୀଙ୍କ ନାମରେ ଦୁଷ୍କର୍ମ ସହିତ ପୋକ୍‌ସୋ ଆକ୍ଟରେ ମମାଲା ରୁଜୁ କରାଯାଇଛି। ଏହି ଆଇନଜୀବୀଙ୍କୁ ଗତ ସପ୍ତାହରେ ଗିରଫ କରାଯିବା ପରେ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ନାବାଳିକାଙ୍କୁ ଜଣେ ବୟସ୍କ ଓକିଲଙ୍କୁ ବିବାହ ଦେବା ମାମଲାରେ ସମ୍ପୃକ୍ତ ନାବାଳିକାଙ୍କ ଅଜାଆଈଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି।

 


ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୩ ତାରିଖ ଦିନ ସମ୍ପୃକ୍ତ ନାବାଳିକା ଜଣକ ଥାନାରେ ଅଭିଯୋଗ କରିଥିଲେ। ଏଥିରେ ସେ ଦର୍ଶାଇଥିଲେ ଯେ ସେ ୨୦୧୫ ମସିହାରେ ଗ୍ରାମରେ ରହି ୯ମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ଅଜାଆଇଙ୍କ ପାଖକୁ ଯାଆନ୍ତି। ତେବେ ଦିନେ ଗ୍ରାମର ଜଣେ ମହିଳା ନାବାଳିକାଙ୍କ ଅଜାଆଈଙ୍କୁ ୨୦୧୪ରେ ପତ୍ନୀଙ୍କୁ ହରାଇଥିବା ଜଣେ ଆଇନଜୀବୀଙ୍କ ସହିତ ନାବାଳିକାଙ୍କର ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଏପରିକି ଏଥିପାଇଁ ନାବାଳିକାଙ୍କ ଅଜାଆଈଙ୍କୁ ମହିଳା ଓ ସମ୍ପୃକ୍ତ ଓକିଲ କିଛି ଆର୍ଥିକ ସହାୟତା ଦେଇ ବିବାହ ପ୍ରସ୍ତାବରେ ରାଜି କରି ନେଇଥିଲେ। ତେବେ ନାବାଳିକା ଜଣକ ଏହି ବିବାହ ପ୍ରସ୍ତାବରେ ରାଜି ହୋଇ ନ ଥିଲେ ଓ ସେ ପଢ଼ିବାକୁ ଚାହୁଁଥିବା କହିଥିଲେ।। ମାତ୍ର ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଦର୍ଶାଇ ଓ ବାପାଙ୍କ ନିରବତାର ସୁଯୋଗ ନେଇ ଅଜାଆଈ ୨୦୧୫ ମସିହ ଏପ୍ରିଲ ୨୧ ତାରିଖ ଦିନ ସମ୍ପୃକ୍ତ ଆଇନଜୀବୀଙ୍କ ସହିତ ନାବାଳିକାଙ୍କର ବିବାହ ଯୋର ଜବରଦସ୍ତ କରି ଦେଇଥିଲେ। ତେବେ ବିବାହ ପରେ ତାଙ୍କ ସ୍ୱାମୀ ଜଣେ ୫୦ ବର୍ଷରୁ ଉର୍ଧ୍ୱ ବ୍ୟକ୍ତି ବୋଲି ଜାଣିବା ପରେ ତାଙ୍କ ସହିତ କୌଣସି ସମ୍ପର୍କ ରଖିବାକୁ ନାବାଳିକା ରାଜି ହୋଇ ନ ଥିେଲେ । ତା ପରେ ଆଇନଜୀବୀଜଣକ ନାବାଳିକାଙ୍କୁ ମୁମ୍ବାଇ ଆଣି ଉଭୟ ଶାରୀରିକ , ମାନସିକ ନିର୍ଯାତନା ସହିତ ଯୌନ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ।

କେବଳ ସେତିକି ନୁହେଁ, ଗତ ଜୁଲାଇ ମାସରେ ନାବାଳିକାଙ୍କ ଚରତ୍ରକୁ ଆଇନଜୀବୀ ସନ୍ଦେହ କରିବା ଆରମ୍ଭ କରି ଦେଇଥିଲେ। ଏଥିପାଇଁ ଆଇନଜୀବୀଜଣକ ତାଙ୍କ ନାବାଳିକା ପତ୍ନୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଏବଂ ଗୋଟିଏ ଘର ଭିତରେ ବନ୍ଦ କରି ରଖିଥିଲେ। ତେବେ କୌଣସିମତେ ନାବାଳିକା ଜଣକ ସେଠାରୁ ଖସି ଆସି ଆଇନଜୀବୀଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ପରେ ଆଇନଜୀବୀଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା। ଜଣେ ଆଇନଜୀବୀଭାବେ ଆଇନ ଭଲଭାବେ ଜାଣିଥିଲେ ମଧ୍ୟ ଜଣେ ନାବାଳିକାଙ୍କୁ ବିବାହ କରିବା ସହିତ ତାଙ୍କ ସହିତ ଯୌନ ସମ୍ପର୍କ ରଖିବା ଘଟଣାରେ କୋର୍ଟ ଗଭିର ବିରକ୍ତି ପ୍ରକାଶ କରି ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ୧୫ ବର୍ଷୀୟା ନାବାଳିକାଙ୍କୁ ବିବାହ କରିବା ସମୟରେ ସମ୍ପୃକ୍ତ ଆଇନଜୀବୀଙ୍କର ତାଙ୍କ ପ୍ରଥମ ପତ୍ନୀଙ୍କ ଗର୍ଭରୁ ଜନ୍ମିତ ଜଣେ ୧୫ ବର୍ଷୀୟା ଝିଅ ଥିଲେ।

ସମ୍ବନ୍ଧିତ ଖବର