ଜିଓ ଟାଓ୍ଵାର୍‌ ବସାଇବା ନାଁରେ ଠକେଇ : ୬ ଗିରଫ, ବନ୍ଧୁକ, ଭୁଜାଲି ଜବତ

ଭବନେଶ୍ୱର : ଜିଓ ଟାଓ୍ଵାର ବସାଇବା ନଁାଁରେ ଲକ୍ଷାଧିକ ଟଙ୍କାର ଠକେଇ। ଏଭଳି ଅଭିଯୋଗେରେ ମଞ୍ଚେଶ୍ୱର ଥାନା ପୁଲିସ ଓ ସ୍ପେସାଲ ସ୍କ୍ଵାଡ୍‌ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ସୁମାନ ଦାସ, ସପନ ହଲଦର, ଅଜୟ ମାଝୀ, ନନ୍ଦନ ଝା, ରମେଶ ପ୍ରସାଦ ଓ ଗୋପାଳ ଯାଦବ। ସମସ୍ତଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳରେ। ପୁଲିସ ସେମାନଙ୍କଠାରୁ ଏକ ଇନୋଭା କାର, ଦୁଇଟି ବନ୍ଧୁକ, ଗୋଟିଏ ଭୁଜାଲି, ବେସ୍‌ବଲ ଷ୍ଟିକ୍‌ ଓ ଜାଲ ଚେକ୍‌, କୋର୍ଟ ପେପର୍‌ ଓ ନକଲି ପରିଚୟପତ୍ର ଜବତ କରିଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ମିଳିଥିବା ସୂଚନାନୁଯାୟୀ କୋଲକାତାର ଏକ ଘରୋଇ ସଂସ୍ଥା ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳର ଜିଓ ଟାଓ୍ଵାର ବସାଇବା ପାଇଁ ଲୋଭନୀୟ ସ୍କିମ୍‌ ଦେଖାଇ ବିଜ୍ଞାପନ ଦେଇଥିଲା। ବିଜ୍ଞାପନ ଦେଖି ଅନେକ ନିଜ ଘର ଉପରେ ଟାଓ୍ଵାର ବସାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ପ୍ରଥମେ ସେମାନଙ୍କୁ ସିକ୍ୟୁରିଟି ବାବଦରେ ଲକ୍ଷେ ଦୁଇ ହଜାର ଟଙ୍କା ଜମା କରିବା ପରେ ତାଙ୍କୁ ମାସିକ ୫୦ ହଜାର ଟଙ୍କା ଓ ଆଗୁଆ ୧୫ ଲକ୍ଷ ଟଙ୍କାର ଚେକ୍‌ ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଥିଲା। ଟାଓ୍ଵାର ଲଗାଇବା ପାଇଁ ଏକ ଫର୍ମ ବାବଦରେ ୧୫୦୦ ଟଙ୍କା ନିଆ ଯାଇଥିଲା। ଏହି ସ୍କିମ୍‌ରେ ପଶ୍ଚିମବଙ୍ଗର ପ୍ରାୟ ୭ ଜଣ ଲୋକ ଉକ୍ତ କମ୍ପାନିରେ ୧୫୦୦ ଟଙ୍କା ଲେଖାଏଁ ଜମା କରିଥିଲେ। ଏହା ଛଡ଼ା ସେମାନଙ୍କୁ ଲକ୍ଷେ ଟଙ୍କା ଧରି ଭୁବନେଶ୍ୱର ଆସିବାକକୁ କୁହାଯାଇଥିଲା। ମଙ୍ଗଳବାର ପଶ୍ଚିବଙ୍ଗର ସୁଲତା ଦେବନାଥ, ଶୋଭା ଦେବନାଥ, ନିଜାମ ଖାନ୍‌ଙ୍କ ସହ ଅନ୍ୟ ଚାରିଜଣ ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଉକ୍ତ ଘରୋଇ କମ୍ପାନିକୁ ଟଙ୍କା ଦେବା ପାଇଁ ଆସିଥିଲେ। ହେଲେ ସଂସ୍ଥାର କାର୍ଯ୍ୟାଳୟ ଓ କର୍ମଚାରୀଙ୍କ ବ୍ୟବହାରକୁ ନେଇ ସେମାନଙ୍କ ମନରେ ସନ୍ଦେହ ହୋଇଥିଲା। ସେମାନେ ଟଙ୍କା ଜମା କରିବା ପରିବର୍ତ୍ତେ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସଂସ୍ଥାର ଦୁଇ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ସେମାନେ ଦେଇଥିବା ତଥ୍ୟକୁ ଆଧାର କରି ସ୍ପେସାଲ ସ୍କ୍ଵାଡ୍‌ ପୁଲିସ କୁଆଖାଇ ଓଭରବ୍ରିଜ୍‌ ଉପରୁ ପଶ୍ଚିମବଙ୍ଗର ନମ୍ବର ଥିବା ଏକ ଗାଡ଼ି ଉପରେ ଚଢ଼ଉ କରିଥିଲା। ହେଲେ ଗାଡ଼ିରେ ଥିବା ଯୁବକମାନେ ପୁଲିସକୁ ଆକ୍ରମଣ କରିଥିଲେ। କିଛି ସମୟ ଧସ୍ତାଧସ୍ତି ପରେ ପୁଲିସ ସମସ୍ତଙ୍କୁ କାବୁ କରିଥିଲା। ସେମାନେ ଆସିଥିବା ଇନେଭା କାରରେ କୋଲକାତା ପୁଲିସ୍‌ର ବତି ଲଗାଯାଇଥିବା ବେଳେ ଗାଡ଼ି ଆଗରେ ଭାରତ ସରକାର ବୋଲି ଲେଖାଯାଇଥିଲା। ଗାଡ଼ି ଭିତରୁ ପୁଲିସ ଦୁଇଟି ବନ୍ଧୁକ, ଗୋଟିଏ ଭୁଜାଲି, ବେସବଲ୍‌ ଷ୍ଟିକ୍‌ ଓ କିଛିି କାଗଜପତ୍ର ଜବତ କରିଥିଲା। ଏ ନେଇ କୋଲକାତା ପୁଲିସ ସହ ଯୋଗାଯୋଗ କରାଯାଉଛି। ଏହି ୬ ଜଣଙ୍କ ସଂପର୍କରେ ଅଧିକ ତଦନ୍ତ କରାଯାଉଛି ବୋଲି ଡିସିପି ଅନୁପ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର