୬ ବାଇକ୍‌ ଲୁଟେରା ଗିରଫ

୯ ବାଇକ୍‌ ଓ ୧୬ ମୋବାଇଲ୍‌ ଜବତ

ବାରଙ୍ଗ: ଦାଢ଼ାପାଟଣା ଗ୍ରାମ ମଧୁସୂଦନ ସାହୁଙ୍କ ବାଇକ୍‌ ଚୋରିର ତଦନ୍ତ କରୁଥିବା ବେଳେ ବାରଙ୍ଗ ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପୁଲିସ ହାତରେ ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗର ୫ ସଦସ୍ୟ ଧରା ପଡ଼ିଛନ୍ତି। ସେମାନଙ୍କ ନିକଟରୁ ପୁଲିସ ୯ଟି ବାଇକ୍‌ ଓ ୧୬ଟି ମୋବାଇଲ ଜବତ କରିଛି। ସେହିପରି ଏହି ଗ୍ୟାଙ୍ଗର ଅନ୍ୟ ଜଣେ ସଦସ୍ୟ କଟକ ସିଡିଏ ଥାନା ପୁଲିସ ହାତରେ ଧରାପଡ଼ିଛି। ଲୁଟେରାମାନେ ହେଲେ, ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ରାମଠେଙ୍ଗା ଗ୍ରାମର ଦୀପୁ ପିଙ୍ଗୁଆ ଓରଫ ଗୌରା, କଟକ ଜିଲ୍ଲା କିଶନନଗର ଥାନା ନଗେସପୁରର ସରୋଜ ଦାସ ଓରଫ ବାବୁ, ଜଗତପୁର ଥାନା ତୋରଲାର ଅମିର ନାୟକ (୪୫), ଓସିସି କଲୋନିର ଅଶୋକ ସାହୁ (୪୫) ଓ କେଉଟ ସାହିର କୃଷ୍ଣଚନ୍ଦ୍ର ନାୟକ ଓରଫ ସାନପୁଅ (୨୨)। ସେହିପରି ସିଡିଏ ଥାନା ପୁଲିସ ହାତରେ ଏହି ଗ୍ୟାଙ୍ଗର ଅନ୍ୟ ଜଣେ ସଦସ୍ୟ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା କଦଳୀପଲା ଗ୍ରାମର ସଦାନନ୍ଦ ନାୟକ(୨୪) ଗିରଫ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୩ ତାରିଖ ଦିନ ପୁରୀ ମୁଖ୍ୟ କେନାଲ ବନ୍ଧରୁ ଦାଢ଼ାପାଟଣା ଗ୍ରାମର ମଧୁସୂଦନ ସାହୁଙ୍କ ଗାଡ଼ି ଚୋରି ହୋଇଯାଇଥିଲା। ଏନେଇ ସେ ବାରଙ୍ଗ ଥାନାରେ ଅଭିଯୋଗ କରିବାରୁ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ବାରଙ୍ଗ ଏଏସ୍‌ଆଇ ଏସ୍‌କେ ବଳିଆରସିଂ ପ୍ରଥମେ ଦୀପୁ, ସରୋଜ ଓ ଅମୀରକୁ ଗିରଫ କରିବା ସହ ସେମାନଙ୍କଠାରୁ ଚୋରି ବାଇକ୍‌ ଜବତ କରଥିଲେ। ପରେ ସେମାନଙ୍କୁ ପଚରାଉଚରା ପରେ ପୁଲିସ ଆଉ ୨ଜଣ କୃଷ୍ଣଚନ୍ଦ୍ର ଓ ଅଶୋକକୁ ଗିରଫ କରିଥିଲା। ସେହିପରି ଏହି ଗ୍ୟାଙ୍ଗର ଅନ୍ୟ ଜଣେ ସଦସ୍ୟ ସଦାନନ୍ଦକୁ ସିଡିଏ ପୁଲିସ ମଧୁସୂଦନ ବ୍ରିଜ୍‌ ନିକଟରୁ ଗିରଫ କରିଥିଲା। ଏନେଇ ପୁଲିସ ପକ୍ଷରୁ ଆଜି କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର