ହରିୟାଣା: ୬ ବର୍ଷୀୟ ବାଳିକା ସହ ଦୁଷ୍କର୍ମ ପରେ ହତ୍ୟା; ଦେହରୁ ବାହାରିଲା ୧୬ ସେ. ମି. କାଠି

ନୂଆଦିଲ୍ଲୀ: ଶନିବାର ଦିନ ହିସାର ଅନ୍ତର୍ଗତ ଉକଲାନା ଗାଁ’ରେ ଜଣେ ଛଅ ବର୍ଷୀୟ ବାଳିକା ସହ ଦୁଷ୍କର୍ମ କରାଯିବା ପରେ ଏକ ୨୪ ସେ. ମି. ଲମ୍ବ କାଠି ଯୋଗେ ନିର୍ଯାତନା ଦିଆ ଯାଇ ତାକୁ ହତ୍ୟା କରାଯାଇଛି।

ଗତ ରାତିରେ ପୀଡ଼ିତାକୁ ତାଙ୍କ ଘରୁ ଅପହରଣ କରି ନିଆ ଯାଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଅତ୍ୟନ୍ତ ପାଶବିକ ଭାବେ ଦୁଷ୍କର୍ମ କରାଯିବା ପରେ ତା’ ଯୌନାଙ୍ଗରେ କାଠି ପୂରାଇ ହତ୍ୟା କରାଯାଇଛି।

ଦୁଷ୍କର୍ମ ଓ ନିର୍ଯାତନା ଦିଆ ଯାଇଥିବା କଥା ଶବ ବ୍ୟବଚ୍ଛେଦରୁ ଜଣା ପଡ଼ିଛି। ବ୍ୟବଚ୍ଛେଦ ସମୟରେ ତା’ ଶରୀରରୁ ଖଣ୍ଡେ ୧୬ ସେ. ମି. ଲମ୍ବର କାଠି ବାହାରିଛି। କାଠି ଆଘାତରେ ତା’ର ଜରାୟୁ ଏବଂ ଅନ୍ତଃନଳୀ କ୍ଷତାକ୍ତ ହୋଇଛି।

ପୀଡ଼ିତାର କାନ୍ଧ, ଅଣ୍ଟା ଏବଂ ନାକରେ ମଧ୍ୟ କ୍ଷତ ଚିହ୍ନ ଥିବା କଥା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଝିଅଟିର ବେକର ରକ୍ତସ୍ରାବ ହେଉଥିବାର ଦେଖିବାକୁ ମଳିଥିଲା।

ସକାଳେ ଝିଅକୁ ଘରେ ନ ପାଇ ନାବାଳିକାଟିର ପରିବାର ଲୋକେ ଚିତ୍କାର କରିବାରୁ ଘଟଣାଟି ଲୋକଲୋଚନକୁ ଆସିଥିଲା। ସେମାନଙ୍କ ଘର ଠାରୁ ଖଣ୍ଡେ ଦୂରରେ ରକ୍ତ ଜୁଡୁବୁଡୁ ଶବଟିଏ ପଡ଼ିଛି ବୋଲି ଜଣେ ସ୍ଥାନୀୟ ଅଧିବାସୀ ଜଣାଇବାରୁ ପରିବାର ଲୋକେ ଝିଅ ଘରେ ନ ଥିବା କଥା ଜାଣିଥିଲେ।

ଏ ଭଳି ଜଘନ୍ୟ କାର୍ଯ୍ୟ ବିରୋଧରେ ତୁରନ୍ତ ପୁଲିସର କାର୍ଯ୍ୟାନୁଷ୍ଠାନ ଦାବି କରି ଗାଁ’ ଲୋକେ ପ୍ରତିବାଦ ଆରମ୍ଭ କରିଛନ୍ତି। ପ୍ରତିବାଦ ଦର୍ଶାଇବାକୁ ଲୋକେ ସମସ୍ତ ଦୋକାନବଜାର ବନ୍ଦ ରଖିବା ସହ ମୁଖ୍ୟ ରାସ୍ତାଗୁଡ଼ିକୁ ଅବରୋଧ କରିଛନ୍ତି।
ଏହା ଗଣ ଦୁଷ୍କର୍ମ ନୁହେଁ ବୋଲି ସ୍ପଷ୍ଟ କରି ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ଫରେନ୍‌ସିକ୍‌ ବିଶେଷଜ୍ଞଙ୍କୁ ସହ ଏକ ସ୍ପେସାଲ୍‌ ଇନ୍‌ଭେଷ୍ଟିଗେଟିଙ୍ଗ୍‌ ଟିମ୍‌ ଗଠନ କରିଛି।

ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଅପହରଣ, ଦୁଷ୍କର୍ମ, ହତ୍ୟା ଆଦି ମାମଲା ସହ ଏଫ୍‌ଆଇଆର୍‌ ଦରଜ କରାଯାଇଛି।

ସମ୍ବନ୍ଧିତ ଖବର