ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ହରିଦାସପୁର(ନହରକଣ୍ଟା)ସ୍ଥିତ ଏମ୍କେ ଗ୍ରୁପ୍ସ ନାମକ ଏକ କମ୍ପାନି ଅଫିସରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ କମ୍ପାନିର ଗେଟ୍ ଓ କବାଟ ତାଲା ଭାଙ୍ଗି କ୍ୟାସ ଡ୍ର’ରୁ ନଗଦ ୬୦ ହଜାର ଟଙ୍କା ସହ ଦୁଇଟି ଇନଭର୍ଟର୍, ଦୁଇଟି ବଡ଼ ବ୍ୟାଟେରି, ଗୋଟିଏ କ୍ୟାମେରା,ଏକ ଦାମୀ ମୋବାଇଲ ସହ ବହୁ ମୂଲ୍ୟବାନ୍ ଜିନିଷ ଲୁଟି ନେଇଛନ୍ତି। ଏ ସଂପର୍କରେ ଆଜି ପୂର୍ବାହ୍ନରେ କାର୍ଯ୍ୟରତ ସୁଭାଷ ବର୍ଦ୍ଧନ ଓ ଅନ୍ୟ ୫ଜଣ କର୍ମଚାରୀ ପାହଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶେଷ ଖବର ଲେଖା ହେବା ବେଳକୁ ଲୁଟେରାଙ୍କ ପତ୍ତା ମିଳି ପାରି ନଥିଲା। ପୁଲିସ ସୂଚନା ମୁତାବକ, ରାତ୍ର ଜଗୁଆଳି ନଥିବା ଏହି ଅଫିସର୍ କର୍ମଚାରୀମାନେ ଗତକାଲି ରାତିରେ ତାଲା ପକାଇ ଯିବା ପରେ ଦୁର୍ବୃତ୍ତମାନେ ଗେଟ୍ ତାଲା ଭାଙ୍ଗି ଅଫିସ୍ରେ ପଶିଥିଲେ। ସେମାନେ ଫାଇଲ ପତ୍ର ଫିଙ୍ଗା ଫୋପଡ଼ା କରିବା ସହ ଚୋରି କରିଥିଲେ। ଆଜି ସକାଳେ ଅଫିସ-ବଏ ପୀତବାସ ଭୋଇ ଏବଂ ଅନ୍ୟ କର୍ମଚାରୀ ଅଫିସରେ ଚୋରି ହୋଇଯାଇଥିବା ଜାଣିବା ପରେ କର୍ତୃପକ୍ଷଙ୍କୁ ଜଣାଇଥିଲେ।