ଭାରୀ ପଡ଼ିଲା ରସିକପଣ: ପଡ଼ୋଶୀ ଡାକ୍ତରାଣୀଙ୍କୁ ଅସଦାଚରଣ ଓ ଆକ୍ରମଣ; ପୁଲିସ୍‌ ବାନ୍ଧିବା ଆଗରୁ ଆତ୍ମହତ୍ୟା କଲେ ୬୧ ବର୍ଷୀୟ ବୃଦ୍ଧ

ମୁମ୍ବାଇ: ମୁମ୍ବାଇର ଗୋରୋଗାଓଁଠାରେ ରବିବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ୬୧ ବର୍ଷିଅ ବ୍ୟକ୍ତି ତାଙ୍କ ପଡ଼ୋଶୀ ତଥା ମହିଳା ଡାକ୍ତରଙ୍କୁ ଅସଦାଚରଣ କରିବା ସହ ଏକ ହାତୁଡ଼ିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆଶ୍ଚର୍ଯ୍ୟର କଥା ହେଉଛି ବ୍ୟକ୍ତି ଜଣକ ଏପରି କାର୍ଯ୍ୟ ରଚିବାର ମାତ୍ର ଘଣ୍ଟା କେଇଟା ପରେ ଏକ ମଲ୍‌ ଉପରୁ ତଳକୁ ଡେଇଁ ପଡ଼ି ଆତ୍ମହତ୍ୟା କରିଛନ୍ତି।

ଆକ୍ରମଣର ଶିକାର ହୋଇଥିବା ୩୫ ବର୍ଷୀୟା ଡାକ୍ତରାଣୀ ପଡ଼ୋଶୀ ଜଣକ ଏବେ ହସ୍ପିଟଲ୍‌ରେ ଚିକିତ୍ସଧୀନ ଅବସ୍ଥାରେ ଅଛନ୍ତି। ଡାକ୍ତରଙ୍କ କହିବା ମୁତାବକ ସେ ଏବେ ବିପଦମୁକ୍ତ। ଖୁବ୍‌ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶା କରାଯାଉଛି।

ଗୋରୋଗାଓଁ ପୁଲିସ୍‌ ଦେଇଥିବା ସୂଚନା ମୂତାବକ, ଅଭିଯୁକ୍ତ ତଥା ମୃତକ ବ୍ୟକ୍ତି ଏବଂ ଡାକ୍ତର ସୀମା(ଛଦ୍ମନାମ) ଗୋଟାଏ ଆପାର୍ଟମେଣ୍ଟ୍‌ର ଦ୍ୱିତୀୟ ମହଲାରେ ବାସ କରନ୍ତି। ସୀମା ଏକ ବେସରକାରୀ ଡାକ୍ତରଖାନାରେ କାର୍ଯ୍ୟ କରନ୍ତି। ସେ ସେଠାରେ ନିଜର ବୃଦ୍ଧା ମାଆଙ୍କ ସହ ରୁହନ୍ତି।

 

୬୧ ବର୍ଷିଅ ଅଭିଯୁକ୍ତ ତାଙ୍କ ପତ୍ନୀ, ପୁଅ ଓ ଝିଅଙ୍କ ସହ ସେଠାରେ ରହୁଥିଲେ। ବ୍ୟକ୍ତି ଜଣକ ସୀମାଙ୍କୁ ଏକତରଫା ଭାବେ ପସନ୍ଦ କରିବା ସହ ତାଙ୍କୁ ଲୁଚିଲଚି ଦେଖିବା ଓ ତାଙ୍କ ପିଛା କରିବା ଆଦି କାର୍ଯ୍ୟ ସବୁ କରୁଥିଲେ। ଏପରିକି ତାଙ୍କ ସହ ଲିଫ୍ଟରେ ଏକତ୍ର ଯିବା ଆସିବା କରିବା ପାଇଁ ମଧ୍ୟ ଜଗି ରହୁଥିଲେ। ସୀମା ବ୍ୟକ୍ତିଙ୍କର ଏପରି ଆଚରଣରେ ଅସହଜ ମନେ କରିବାରୁ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ।

ରବିବାର ସକାଳ ୧୦.୩୦ ସମୟରେ ବ୍ୟକ୍ତି ଜଣକ ନିଜ ଘରେ ଏକୁଟିଆ ଥିଲେ। ତାଙ୍କ ପିଲା ଓ ପତ୍ନୀ କେଉଁଆଡ଼େ ବାହାରେ ଯାଇଥିଲେ। ଏପଟେ ସୀମା ମଧ୍ୟ ତାଙ୍କ ଘରେ ଏକାକୀ ଥିଲେ। ୬୧ ବର୍ଷିୟ ବ୍ୟକ୍ତି ଜଣକ ସୀମାଙ୍କ ଘର ବେଲ୍‌ ମାରିିଥିଲେ। ସେ କ’ଣ ଚାହାନ୍ତି ବୋଲି ସୀମା ପ୍ରଶ୍ନ କରିବାରୁ ମାତ୍ର କେତେ ମିନିଟ୍‌ କଥା ହେବେ ବୋଲି ବ୍ୟକ୍ତି ଜଣକ କହିବାରୁ ସେ କବାଟ ଫିଟାଇଥିଲେ।

ଅଭିଯୁକ୍ତ ଜଣକ ତା’ପରେ ସୀମାଙ୍କ ଘରକୁ ଯାଇ ତାଙ୍କ ସହ ଅସଦାଚରଣ କରିଥିଲେ। ଏପରିକି ଏକ ଛୋଡ଼ ହାତୁଡ଼ିରେ ସେ ସୀମାଙ୍କ ମୁଣ୍ଡ, ହାତ ଓ ଗୋଡ଼କୁ ଛେଚି ପକାଇଥିଲେ। ସୀମା ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଧାଇଁ ଆସିଥିଲେ। ଲୋକେ ରୁଣ୍ଡ ହେବାରୁ ଅଭିଯୁକ୍ତ ସ୍ଥାନ ଛାଡ଼ି ପଳାଇ ଯାଇଥିଲା।

ଅଭିଯୁକ୍ତ ଅପରାହ୍ନ ପ୍ରାୟ ୧୨.୩୦ ସମୟରେ ମୁମ୍ବାଇର ମଲାଡରେ ଥିବା ଏକ ମଲ୍‌ର ଦ୍ୱିତୀୟ ମହଲାକୁ ଯାଇଁ ସେଠାରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର