ଜେଲ୍‌ ଗଲେ ୬ ଦୁର୍ଦ୍ଦାନ୍ତ ଡକାୟତ

ଦୁଇଟି ଦାମୀ କାର୍‌, ୮୦ ରାଉଣ୍ଡ ଗୁଳି ଜବତ

 

ଯାଜପୁର/ପାଣିକୋଇଲି/ବ୍ୟାସନଗର : ଜେଲ୍‌ ଗଲେ ୩ ଝାଡ଼ଖଣ୍ଡୀ ଅପରାଧୀଙ୍କ ସହ ୬ ଦୁର୍ଦାନ୍ତ ଡକାୟତ। ସେମାନଙ୍କଠାରୁ ଦୁଇଟି କାର୍‌ ଜବତ କରାଯାଇଛି। ପୂର୍ବରୁ ସେମାନଙ୍କଠାରୁ ୬ଟି ଦେଶୀ ବନ୍ଧୁକ, ୭ଟି ମାଗାଜିନ୍‌ ଏବଂ ୮୦ଟି ଜୀବନ୍ତ ଗୁଳି ଜବତ କରାଯାଇଥିଲା।  ଜେଲ୍‌ ଯାଇଥିବା ଡକାୟତମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟର ସିମ୍‌ଡ଼େଗା ଜିଲ୍ଲା ଟିଟା ନଗର ଥାନା ଅଞ୍ଚଳର ସୋଏବ ଆଲାମ ଓରଫ୍‌ ପପୁ ଖାଁ (୩୬), ଲୋହାର ଡେଗା କିରୋ ଥାନା ଅଞ୍ଚଳର ବସିର୍‌ ଆନ୍‌ସାରୀଙ୍କ ପୁଅ ଜିଆଉଲ୍‌ ହକ୍‌(୩୮), ରଫିକ୍‌ ଆଲାମଙ୍କ ପୁଅ ଜମି ଅକ୍‌ତାର (୩୨), ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା କୁନ୍ତିରା ଗାଁର ପ୍ରଫୁଲ ଲାକ୍ରା(୩୬), ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା କେନ୍ଦେଇମାଳ ଗାଁର ଦୀପକ ବାବୁରାମ ଏକକ୍‌ା, ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ପୁନେଇଡିହ ଗାଁର ଗୋପୀନାଥ ପାତ୍ରଙ୍କ ପୁଅ ଅର୍ଜୁନ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ  କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଯାଜପୁର ଏସ୍‌ପି ଚରଣ ସିଂ ମୀନା ବିଧିବଦ୍ଧ ଭାବେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।

ସାମ୍ବାଦିକମାନଙ୍କୁ ସୂଚନା ଦେଇ କେନ୍ଦ୍ରାଞ୍ଚଳ ଆଇଜି କହିଲେ ଯେ ଯାଜପୁରରୋଡ ପୁଲିସ୍‌ର ତ୍ୱରିତ ପଦକ୍ଷେପ ଓ ଚଢ଼ଉ ଫଳରେ ବ୍ୟାସନଗର ସହରରେ ଏକ ବଡ଼ଧରଣର ଡକାୟତି ଉଦ୍ୟମକୁ ପଣ୍ଡ ହୋଇଛି। ୬ ଜଣ ଆନ୍ତ ରାଜ୍ୟ ଓ ଆନ୍ତ ଜିଲ୍ଲା ଡକାୟତ ଧରାପଡ଼ିଛନ୍ତି। ଅପରାଧୀଙ୍କ ନିକଟରୁ ୬ଟି ଦେଶୀ ବନ୍ଧୁକ, ୭ଟି ମାଗାଜିନ୍‌, ୮୦ଟି ଜୀବନ୍ତ ଗୁଳି ଜବତ୍‌ କରାଯାଇଛି। ସେମାନଙ୍କଠାରୁ ଗୋଟିଏ ଇଣ୍ଡିଗୋ କାର୍‌ ଓ ଗୋଟିଏ ବୋଲେରୋ କାର୍‌କୁ ମଧ୍ୟ ପୁଲିସ୍‌ ଜବତ୍‌ କରିଛି।

ଦୁଇ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଥିଲେ ଯେ, ଗତକାଲି ରାତି ଗୋଟାଏ ସମୟରେ ଯାଜପୁରରୋଡ଼ ଥାନାଧିକାରୀ ଶିଶିର କୁମାର ମିଶ୍ର ଏସ୍‌ପିଙ୍କ ଠାରୁ ସୂଚନା ପାଇଁ ଯାଜପୁରରୋଡ଼ ଚୋରଦା ବାଇପାସ୍‌ ନିକଟରେ (ଓଡି-୧୪-୦୨୦୯) ନମ୍ବର ବିଶିଷ୍ଟ ଏକ ଇଣ୍ଡିଗୋ କାର୍‌କୁ ଅଟକାଇଥିଲେ। ଏହି କାର୍‌ରେ ବିଭିନ୍ନ ମାରଣାସ୍ତ୍ର  ସହିତ ଥିବା ୩ ଜଣ ଯୁବକଙ୍କୁ ଯାଜପୁରରୋଡ଼ ପୁଲିସ୍‌ କାବୁ କରିଥିଲା। ଅପରାଧୀମାନେ ଯାଜପୁରରୋଡ଼ ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଅପରାଧ ଘଟାଇବା ପାଇଁ ଏଠାରେ ପଇଁତରା ମାରୁଥିବା ସୂଚନା ପାଇବା ପରେ ପୁଲିସ୍‌ ଜାଲ ବିଛାଇଥିଲା। ଏମାନଙ୍କ ସହ ସଂପୃକ୍ତ ଅନ୍ୟ କେତେକ ଅପରାଧୀଙ୍କୁ ଧରିବା ପାଇଁ ଯୋଜନା କରି ପୁଲିସ୍‌ ଏହି ଅପରାଧୀଙ୍କ ମୋବାଇଲ୍‌ ଫୋନ୍‌ରେ ଅନ୍ୟ କେତେକ ଅପରାଧୀଙ୍କ ସହ ଯୋଗାଯୋଗ କରିଥିଲା। ପୁଲିସ୍‌ର ଯୋଜନା ସମ୍ପର୍କରେ ଜାଣିନପାରି ଅନ୍ୟ ଏକ ବୋଲେରୋ ନମ୍ବର୍‌ (ଜେଏଚ୍‌-୦୧ଏସି-୬୨୯୬) ରେ ୩ ଜଣ ଅପରାଧୀ ଆସି ପହଞ୍ଚିଥିଲେ । ପୁଲିସ୍‌ ସେମାନଙ୍କୁ ମଧ୍ୟ ଗିରଫ୍‌ କରିଥିଲା। ଅପରାଧୀମାନେ କେଉଁ ଠାରେ ଅପରାଧ କରିବା ପାଇଁ ଯୋଜନା କରିଥିଲେ ସେ ସଂପର୍କରେ ପୁଲିସ୍‌ କିଛି କହିନାହିଁ। ତଦନ୍ତର ଗୁରୁତ୍ଵ ଦୃଷ୍ଟିରୁ ପୁଲିସ୍‌ ଏହା ପ୍ରକାଶ କରିନଥିବା ବେଳେ ଆଇଜି ଶ୍ରୀ ପ୍ରିୟଦର୍ଶୀ ତଦନ୍ତ ଚାଲିଛି ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ସୂଚନା ସଂଗ୍ରହ ପରେ ତଥ୍ୟ ଦିଆଯିବବୋଲି କହିଥିଲେ । ଯାଜପୁରରୋଡ଼ ଥାନା କେସ୍‌ ନଂ ୩୧୬/୧୭ ଦଫା ୩୯୯, ୪୦୯ ଆଇପିସି ୨୫/୨୭ ଆର୍ମ ଆକ୍ଟ୍‌ ଅନୁଯାୟୀ ଅପରାଧୀମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ରଗଡ଼ି ଉପକାରାଗାରକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର