ଯାତ୍ରା ପଡ଼ିଆରୁ ଧରାହେଲେ ୭ ଜୁଆଡ଼ି, ଜୁଆ ପାଲି, ୧୧ ହଜାର ଟଙ୍କା, ମୋବାଇଲ୍‌ ଫୋନ୍‌ ଜବତ

ଖଣ୍ଡଗିରି/ବାରଙ୍ଗ : ଚନ୍ଦକା ଥାନା ମେଣ୍ଢାଶାଳ ଫାଣ୍ଡି ଅନ୍ତର୍ଗତ ବିନ୍ଧ୍ୟଗିରି ଗାଁ ଯାତ୍ରା ପଡ଼ିଆରେ ଚାଲିଥିବା ଏକ ଜୁଆ ଆଡ୍ଡାରୁ ସୋମବାର ବିଳମ୍ବିତ ରାତିରେ ପୁଲିସ ୭ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା କଙ୍କର୍ଦାର ପ୍ରଶାନ୍ତ ପାଣିଗ୍ରାହୀ, ସିଙ୍ଗିପୁର ଗାଁର ଜିତେନ୍ଦ୍ର ବିଶୋୟୀ, ଶେରଗଡ଼ ଥାନା ବାକିଲିକଣାର ପ୍ରମୋଦ ନାୟକ, ଖୋର୍ଧା ସାମନ୍ତରାପୁର ଗାଁର ତ୍ରିନାଥ ପାତ୍ର, ଜଟଣୀ ଥାନା କାଇମାଟିଆ ଗାଁର ରବିନାରାୟଣ ଜୟସିଂହ, ସେହି ଥାନା ଜାଗସରା ଗାଁର ସନାତନ ବେହେରା ଓ ଯାତ୍ରା ଚାଲୁଥିବା ବିନ୍ଧ୍ୟଗିରି ଗାଁର ସଂଜୟ କୁମାର ଜେନା। ପୁଲିସ ଜୁଆ ଆଡ୍ଡାରୁ ଜୁଆ ପାଲି ସହ ୨ଟି ଗ୍ୟାସ୍‌ ଲାଇଟ୍‌, ୬ଟି ମୋବାଇଲ୍‌ ଫୋନ୍‌ ଓ ନଗଦ ୧୧ ହଜାର ୨ ଶହ ଟଙ୍କା ଜବତ କରିଛି।

ଚନ୍ଦକା ଥାନା ପୁଲିସ ସୂଚନାନୁସାରେ ବିନ୍ଧ୍ୟଗିରି ଗାଁରେ ୪ ଦିନିଆ ଦିଅଁ ମେଳଣ ଅବସରରେ ଯାତ୍ରା (ଅପେରା) ଚାଲିଛି। ରବିବାରଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଅବସରରେ ପ୍ରଥମ ରାତିରୁ ହିଁ ଏକ ଜୁଆ ଆଡ୍ଡ ଜମିଥିବା ନେଇ ପୁଲିସ ନିକଟରେ ଖବର ପହଞ୍ଚିଥିଲା। ଜୁଆଡ଼ିମାନେ ଯାତ୍ରା ପଡ଼ିଆଠାରୁ ଅନତି ଦୂରରେ ଏକ ବଣ ଭିତରେ ଏହି ଆଡ୍ଡା ଚଳାଇଥିଲେ। ଜଙ୍ଗଲିଆ ସ୍ଥାନରେ ଗ୍ୟାସ୍‌ ଲାଇଟ୍‌ ଲଗାଇ ଜୁଆ ଖେଳ ଚାଲିଥିଲା। ଚନ୍ଦକା ଥାନା ଓ ମେଣ୍ଢାଶାଳ ଫାଣ୍ଡି ପୁଲିସ ମିଳିତଭାବେ ଗତକାଲି ରାତିରେ ସେଠାରେ ଅତର୍କିତ ଚଢ଼ଉ କରି ସେମାନଙ୍କୁ ଚାରିପଟୁ ଘେରି ଯାଇଥିଲେ। ଫଳରେ ଜୁଆ ପାଲି ଛାଡ଼ି ପଳାଇବାକୁ କେହି ବାଟ ପାଇ ନଥିଲେ। ଗଞ୍ଜାମର ଜୁଆଡ଼ିମାନେ ଜୁଆ ପାଲି ସହ ଆଡ୍ଡା ଜମାଇଥିବାବେଳେ ବିନ୍ଧ୍ୟଗିରି ଓ କାଇମାଟିଆ ଅଞ୍ଚଳର ଜୁଆଡ଼ିମାନେ ଏହି କାର୍ଯ୍ୟରେ ସହଯୋଗ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର