୭୦ ହଜାର ଟଙ୍କା ଝାମ୍ପି ପଳାଉଥିଲେ, ଧରାପଡ଼ିଗଲେ

ମେଣ୍ଢାଶାଳ/ଖଣ୍ଡଗିରି: ଗୁରୁବାର ପୂର୍ବାହ୍ଣ ପ୍ରାୟ ୧୧ଟା। ଏକ ଘରୋଇ ଫାଇନାନ୍‌ସ କମ୍ପାନିର ଏଜେଣ୍ଟଙ୍କଠାରୁ ୭୦ ହଜାର ଟଙ୍କା ଝାମ୍ପି ୭ ଲୁଟେରା ଖସି ପଳାଉଥିଲେ। କିନ୍ତୁ ବାଟରେ ଲୋକଙ୍କ ହାବୁଡ଼ରେ ପଡ଼ିଗଲେ। ଲୁଟେରାଙ୍କୁ ମନଭରି ଛେଚିଲେ ଲୋକେ। ପରେ ଚନ୍ଦକା ଥାନା ପୁଲିସ ଜିମା ଦେଲେ। କମିସନରେଟ୍‌ ପୁଲିସର ମୋଷ୍ଟ ଓ୍ଵାଣ୍ଟେଡ୍‌ ଥିବା ଏହି ଗ୍ୟାଙ୍ଗ୍‌ ଆଜି ଏମିତି ଧରାପଡ଼ିଯିବାରୁ ପୁଲିସ ବେଶ୍‌ ଆଶ୍ୱସ୍ତି ଲାଭ କରିଛି। ପୁଲିସ ସେମାନଙ୍କଠାରୁ ଲୁଟ୍‌ ହୋଇଥିବା ୭୦ ହଜାର ଟଙ୍କା ୩ଟି ବାଇକ୍‌ ଓ ୭ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ଲୁଟେରାମାନେ ହେଲେ ଡୁମୁଡୁମା ହାଉସିଂବୋର୍ଡ କଲୋନି ଫେଜ୍‌-୪ ଅଞ୍ଚଳର ମନୋରଂଜନ ଦାସ, ବବୁଲ୍‌ ବେହେରା, ପ୍ରଭୁଦତ୍ତ ତ୍ରିପାଠୀ, କୀର୍ତିଶ୍ୱର ଷଡ଼ଙ୍ଗୀ ଓ ସରକନ୍ତରା-ବାହାଦଲପୁର ଅଞ୍ଚଳର ବଳରାମ ରାଉତରାୟ ଓରଫ୍‌ ବଳିଆ । ଅନ୍ୟ ଦୁଇଜଣ ହେଲେ ଚନ୍ଦକା ଥାନା ଅରାଙ୍ଗ ଗାଁର ସୁଶିଲ୍‌ ବେହେରା ଓ ଦୀପକ ରାଉତରାୟ ଓରଫ୍‌ ନାଲିଆ।  ଏହି ଲୁଟେରାମାନଙ୍କ ନାଁରେ ରାଜଧାନୀର ବହୁ ଥାନାରେ ଲୁଟ୍‌ ମାମଲା ରହିଛି। ବଳିଆ ଜଣେ କୁଖ୍ୟାତ୍‌ ଅପରାଧୀ ବୋଲି ପୁଲିସ ସୂଚନା ଦେଇଛି। ଅଧିକ ତଦନ୍ତ ଜାରି ରହିଛି।

କେମିତି ଧରାପଡ଼ିଲେ

ଜିତେନ୍ଦ୍ରଙ୍କୁ ଲୁଟିବା ସମୟରେ ସ୍ଥାନୀୟ ଛତାବର ଅଞ୍ଚଳର ଜଣେ ଇଲେକ୍ଟି୍ରକ୍‌ ଲାଇନ୍‌ ମ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ଲୁଟେରାମାନଙ୍କୁ ପ୍ରତିରୋଧ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଲୁଟେରାମାନେ ତାଙ୍କୁ ମଧ୍ୟ ମାଡ଼ ମାରି ଆହତ କରିଥିଲେ। ଏହା ପରେ ସେମାନେ ଛତାବର ଖୋର୍ଧା ରାସ୍ତା ଦେଇ ପଳାଇଥିଲେ। ଲାଇନ୍‌ମ୍ୟାନ୍‌ ଜଣଙ୍କ ତୁରନ୍ତ ଛତାବର ବଜାରକୁ ଫୋନ୍‌ କରି ଜଣାଇଥିଲେ। ଖବର ପାଇ ଛତାବର ବଜାରର କିଛି ଯୁବକ ଓ ବ୍ୟବସାୟୀମାନେ ସେମାନଙ୍କୁ ଧରିବା ପାଇଁ ୩ ଥାକରେ ଜଗି ବସିଥିଲେ। ପ୍ରଥମ ବାଇକ୍‌ରେ ଆସୁଥିବା ୩ ଜଣ ଲୁଟେରାଙ୍କୁ ଛତାବର ବଜାର ପୂର୍ବରୁ କିଛି ଯୁବକ ଗୋଡ଼ାଇଥିଲେ। ସେମାନଙ୍କୁ ପିଛା କରୁଥିବା ଜାଣି ବାଇକ୍‌ ଚାଳକ ବେଗ ବଢ଼ାଉ ବଢ଼ାଉ ଏକ ଗଛରେ ପିଟି ହୋଇ ଯାଇଥିଲା। ବାଇକ୍‌ ଛାଡ଼ି ସେମାନେ ଗହୀର ଭିତରକୁ ଧାଇଁବାକୁ ଲାଗିଥିଲେ। କିନ୍ତୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲୋକେ ସେମାନଙ୍କୁ ମାଡ଼ି ବସିଥିଲେ। ସେହିଭଳି ପଛ ବାଇକ୍‌ରେ ଥିବା ଦୁଇ ଦୁର୍ବୃତ୍ତ ମଧ୍ୟ ଲୋକଙ୍କ ହାବୁଡ଼ରୁ ଖସି ପାରି ନଥିଲେ। ୫ ଲୁଟେରାଙ୍କୁ ଧରି ଲୋକେ ନିସ୍ତୁକ ପିଟିବାବେଳେ ଜଣେ ଲୁଟେରାର ମୋବାଇଲ୍‌ ଫୋନ୍‌ ବାଜିଥିଲା। ଆରପଟୁ ମିସନ୍‌ ସଫଳ ହେଲା ଓ କେତେ ମିଳିଲା ବୋଲି ଜଣେ ପଚାରିଥିଲା। ମୋବାଇଲ୍‌ ଫୋନ୍‌ ଧରିଥିବା ଯୁବକ ଜଣଙ୍କ ମିସନ୍‌ ସଫଳ ଓ ୨ ଲକ୍ଷ ଟଙ୍କା ମିଳିଛି ବୋଲି କହିଥିଲେ। ଟଙ୍କା ଭାଗ କରିବା ଲୋଭରେ ଅରାଙ୍ଗର ନାଲିଆ ଓ ଦୀପକ ଟଙ୍କା ତୁରନ୍ତ ମେଣ୍ଢାଶାଳ ଧାନ ଫାର୍ମ ରାସ୍ତାରେ ପହଞ୍ଚିଥିଲେ। ମାତ୍ର ପୂର୍ବରୁ ଜଗି ବସିଥିବା ଛତାବରର ଯୁବକମାନେ ସେମାନେ ମାଡ଼ି ବସିଥିଲେ।

ଯୋଜନାବଦ୍ଧ ଲୁଟ୍‌

ଲୁଟେରାମାନେ  ଯୋଜନାବଦ୍ଧଭାବେ ଏହି ଲୁଟ୍‌ କରିଥିଲେ। ଖୋର୍ଧା ଭାରତ ଫାଇନାନ୍‌ସିଆଲ୍‌ ଇନ୍‌କ୍ଲୁସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଘରୋଇ ସଂସ୍ଥାର ଏଜେଣ୍ଟ ଜିତେନ୍ଦ୍ର ନାୟକ ସବୁଦିନ ଭଳି ଆଜି ଅରାଙ୍ଗ, ମଧୁପୁର, ଅଙ୍ଗାରପଡ଼ା ଆଦି ଅଞ୍ଚଳର ଜମାକାରୀମାନଙ୍କଠାରୁ ୭୦ ହଜାର ଟଙ୍କା ଆଦାୟ କରିଥିଲେ। ଏହି ଖବର ଲୁଟେରାମାନେ ରଖିଥିଲେ। ଅରାଙ୍ଗର ଦୁଇ ଦୁର୍ବୃତ୍ତ ସୁଶିଲ ବେହେରା ଓ ଦୀପକ ରାଉତରାୟ ଓରଫ୍‌ ନାଲିଆ ଜିତେନ୍ଦ୍ରଙ୍କୁ ଲୁଟିବା ପାଇଁ ଯୋଜନା କରିଥିଲେ। ସେମାନେ  ଡୁମୁଡୁମା ହାଉସିଂବୋର୍ଡ ଫେଜ୍‌-୪ ଓ ସରକନ୍ତରା ଅଞ୍ଚଳର ୫ ଜଣ ଲୁଟେରାଙ୍କ ସହ ମିଶି ଲୁଟିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଯୋଜନାନୁସାରେ ନାଲିଆ ଓ ସୁଶିଲ୍‌ ଜିତେନ୍ଦ୍ରଙ୍କ ପିଛା କରି ଖବର ଦେବେ ଓ ଅନ୍ୟମାନେ ରାସ୍ତାରେ ଅଟକାଇ ଲୁଟିବେ। ଆଜି ଜିତେନ୍ଦ୍ର ଟଙ୍କା ଆଦାୟ କରି ମହୁଲ ଓ ଅଙ୍ଗାରପଡ଼ା ମଧ୍ୟରେ ପହଞ୍ଚିଥିବାବଳେ  ଏକ ନିଛାଟିଆ ସ୍ଥାନରେ ୨ଟି ବାଇକ୍‌ରେ ଥିବା ୫ ଜଣ ଯୁବକ ତାଙ୍କୁ ଅଟକାଇଥିଲେ। ଦୁର୍ବୃତ୍ତମାନେ ତାଙ୍କଠାରୁ ଟଙ୍କା ଭର୍ତି ବ୍ୟାଗ୍‌ ଓ ମୋବାଇଲ୍‌ ଝାମ୍ପି ନେଇଥିଲେ।

ସମ୍ବନ୍ଧିତ ଖବର