କଣ୍ଟାବାଞ୍ଜିରୁ ରାୟପୁର ଲମ୍ବିଛି ହାଓ୍ଵାଲାର ଚେର

କାଉନସିଲର ଗିରଫ, ୭୫ ଲକ୍ଷ ଟଙ୍କା ଓ ୧୪ ସୁନା ବିସ୍କୁଟ ଜବତ

ଟିଟିଲାଗଡ/କଣ୍ଟାବାଞ୍ଜି: କିଛି ଦିନ ତଳେ କଣ୍ଟାବାଞ୍ଜିରେ ପୁଲିସ ଆଇପିଏଲ କ୍ରିକେଟରେ ସଟ୍ଟା କାରବାରର ପର୍ଦ୍ଦାଫାସ କରିଥିବା ବେଳେ ଏବେ ପୁଣି ଥରେ ଆଉ ଏକ ଆର୍ଥିକ ଅପରାଧର ଚିତ୍ର ମିଳିଛି କଣ୍ଟାବାଞ୍ଜି ସହରରୁ। କଣ୍ଟାବାଞ୍ଜିର କାଉନସିଲର ଦେବାନନ୍ଦ ବେହେରା ହାଓ୍ଵାଲା ମାମଲାରେ ଜଡିତ ଥିବା ଅଭିଯୋଗରେ ପଡ଼ୋଶୀ ଛତିଶଗଡ ରାଜ୍ୟ ରାୟପୁର ରେଳ ଷ୍ଟେସନରୁ ଆରପିଏଫ ପୁଲିସ ଗିରଫ କରିଛି। ଏହାସହ ଗିରଫ ଅଭିଯୁକ୍ତଙ୍କ ଠାରୁ ବିପୁଳ ପରିମାଣର ନଗଦ ଅର୍ଥ ସହ ସୁନା ବିସ୍କୁଟ ଜବତ ହୋଇଛି।

ସୂଚନା ମୁତାବକ ସୋମବାର ଦିନ ରାୟପୁର ଷ୍ଟେସନରେ କାର୍ଯ୍ୟରତ ଆରପିଏଫ ବିଭାଗକୁ ଜଣେ ସନ୍ଦିଗ୍ଧ ବ୍ୟକ୍ତି ରାୟପୁର ଆସୁଥିବା ନେଇ ସୂଚନା ମିଳିଥିଲା। ଏହି ବ୍ୟକ୍ତି ଜଣକ ନିକଟରେ ବିପୁଳ ପରିମାଣରେ ନଗଦ ଅର୍ଥ ଥିବା ଏବଂ ସେହି ବ୍ୟକ୍ତି ଜଣକ ପୁରୀ- ଦୁର୍ଗ ଇଣ୍ଟରସିଟି ଟ୍ରେନରେ ରାୟପୁର ଆସୁଥିବା ସୂଚନା ପାଇଥିଲା। ସୂଚନାକୁ ଆଧାରରେ ଆରପିଏଫ ରେଳ ଷ୍ଟେସନରେ ତଲାସି ଅଭିଯାନ ଆରମ୍ଭ କରିଥିଲା। ତେବେ ସେତେବେଳେ ଟ୍ରେନରୁ ଜଣେ ବ୍ୟକ୍ତି ଓହ୍ଲାଇ ଇତସ୍ତତ ଅବସ୍ଥାରେ ବାହାରକୁ ଯାଉଥିବା ବେଳେ ସନ୍ଦେହରେ ଆରପିଏଫ ଯବାନ ମାନେ ତାକୁ ଅଟକ ରଖି ସେ ଧରିଥିବା ବ୍ୟାଗ ଯାଞ୍ଚ କରିଥିଲେ। ବ୍ୟକ୍ତି ଜଣକ ଧରିଥିବା ବ୍ୟାଗରୁ ନଗଦ ୭୫ ଲକ୍ଷ ଟଙ୍କା ଓ ପ୍ରାୟ ଦଶ ଲକ୍ଷ ଟଙ୍କା ମୂଲ୍ୟର ୧୪ ଗୋଟି ସୁନା ବିସ୍କୁଟ ବାହାରିଥିଲା। ଏତେ ପରିମାଣର ଅର୍ଥ ନେବା ବିଷୟରେ ଯବାନ ମାନେ ତାକୁ ଜେରା କରିବାରେ ସେ ପ୍ରଥମେ ୟାଡୁସ୍ୟାଡୁ କହିବା ପରେ ତା ଉପରେ ଚାପ ସୃଷ୍ଟି କରିବାରୁ ଏହା ରାୟପୁରର ଜନୈକ ବ୍ୟବସାୟୀ ହରିଶଙ୍କର ଅଗ୍ରଓ୍ଵାଲଙ୍କୁ ଦେବାପାଇଁ ନେଉ ଥିବା ଅଭିଯୁକ୍ତ ଜଣକ ସ୍ପଷ୍ଟ କରିଥିଲା। ଗିରଫ ଅଭିଯୁକ୍ତ ଜଣକ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଦେବାନନ୍ଦ ବେହେରା ଓ ସେ କଣ୍ଟାବାଞ୍ଜି ଏନଏସିର ୮ନଂ ଓ୍ଵାର୍ଡର କାଉନସିଲର ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର