ଲୁଟିନେଲେ ୭ ଲକ୍ଷ ଟଙ୍କା, ସୁନା ଗହଣା

ଲଇକେରା: ମଙ୍ଗଳବାର ସ୍ପଷ୍ଟ ଦିବାଲୋକରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ବାଗଡିହି ଗାଁର ପେଟ୍ରୋଲ ପମ୍ପ ମାଲିକ ଦୌଲତରାମ ବଧାନଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ୫ ଜଣ ଦୁର୍ବୃତ୍ତ ଶ୍ରୀ ବଧାନଙ୍କ ଘରେ ପଶି ବନ୍ଧୁକ ଓ ଛୁରି ଦେଖାଇ ପରିବାରର ଲୋକଙ୍କୁ ଡାଇନିଂ ଟେବଲରେ ବସିବାକୁ ଧମକ ଦେଇଥିଲେ। ଏହାପରେ ଲକର୍‌ର ଚାବି ମାଗି ନଗଦ ୭ ଲକ୍ଷ ଟଙ୍କା, ୨ଟି ସୁନା ମୁଦି, ୨ଟି ଚେନ୍‌ ଲୁଟି ନେଇ ଫେରାର ହୋଇଯାଇଥିଲେ। ଲୁଟେରା ମାନେ ହିନ୍ଦୀ ଓ ଝାଡ଼ଖଣ୍ଡୀ ଭାଷାରେ କଥାବାର୍ତ୍ତା କରୁଥିଲେ। ସମସ୍ତଙ୍କ ବୟସ ୩୫ରୁ ୪୦ ବର୍ଷ ହେବ ବୋଲି ପରିବାର ବର୍ଗ କହୁଛନ୍ତି। ସେମାନେ ସମସ୍ତେ କଳାମୁଖା ଲଗାଇଥିଲେ ଏବଂ ବାଇକ୍‌ରେ ଆସିଥିବା ଜଣାପଡ଼ିଛି। ପୁଲିସ୍‌ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ସୀମାକୁ ସିଲ୍‌ କରି ତନାଘନା ଜାରି ରଖିଛି। ଝାରସୁଗୁଡ଼ା ଏସଡିପିଓ କୈଳାସ ଆଚାର୍ଯ୍ୟ, ଲଇକେରା ଆଇଆଇସି ପିକେ ତ୍ରିପାଠୀ, ବାଗଡିହି ଫାଣ୍ଡି ଅଧିକାରୀ ସଚିନ୍ଦ୍ର ପଟେଲ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ।

ସମ୍ବନ୍ଧିତ ଖବର