୯ ଚୋରା ମଦ ବେପାରୀ ଗିରଫ: ଅଟୋ ସମେତ  ବିପୁଳ ମଦ ଜବତ

ବାଲିଅନ୍ତା : ଅବକାରୀ ବିଭାଗ ଖୋର୍ଧା ମୋବାଇଲ ଟିମ୍‌ ଓ କଟକ ଫ୍ଲାଇଂ ସ୍କ୍ଵାଡ୍‌ ଆଜି ମିଳିତ ଭାବେ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରି ୯ ଜଣ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି। ଏଥିସହିତ ସେମାନଙ୍କ ନିକଟରୁ  ୩୨୩ ବୋତଲ ବିଦେଶୀ ଓ ୭୦ ଲିଟର ଦେଶୀମଦ ମଧ୍ୟ ଜବତ ହୋଇଛି। ଚୋରାମଦ କାରବାରରେ ବ୍ୟବହୃତ ଏକ ଅଟୋ  ସହିତ ବଡ଼ ସିଲଭର ଡେକ୍‌ଚି ଓ ଜାରକିନ୍‌ ମଧ୍ୟ ଜବତ କରିଛି । ଜବତ ମଦର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଜାମିନ ମଂଜୁର ହୋଇଥିବା ବେଳେ ଅନ୍ୟମାନଙ୍କ ଜାମିନ ନାମଂଜୁର ହୋଇଯିବାରୁ ଜେଲ୍‌ ହାଜତକୁ ପଠାଇଦିଆଯାଇଛି। ଅବକାରୀ ବିଭାଗର ଜଣେ ଅଧିକାରୀଙ୍କ ସୂଚନାନୁଯାୟୀ ନୟାଗଡ଼ ଅଞ୍ଚଳର ଅଶୋକ ବେହେରାଙ୍କଠାରୁ ସର୍ବାଧିକ ୨୮୮ ବୋତଲ ବିଦେଶୀମଦ ହାଇଟେକ୍‌ ଛକ ନିକଟରୁ ଜବତ ହୋଇଛି।  ସେହିପରି ଜିଜିପି କଲୋନି ଅଞ୍ଚଳର ରତନ ମଣ୍ଡଳଙ୍କନିକଟରୁ ମଧ୍ୟ ୩୫ ବୋତଲ ବିଦେଶୀ ମଦ ଜବତ ହୋଇଥିବାବେଳେ ନୂଆପଲ୍ଲୀ ଥାନା ଅଞ୍ଚଳର ଚୋରା ଦେଶୀମଦ ବ୍ୟବସାୟୀ ରଂଜନ ହେମ୍ବ୍ରମ୍‌, ନାତନ ବେହେରା, ସହଦେବ ହେମ୍ବ୍ରମ୍‌, ନାନି ଟୁଡୁ, ସୁନୀତା ମଣ୍ଡଳ, ସାଲ୍‌ବି ମାରାଣ୍ଡି, ବାସନ୍ତୀ ମୁର୍ମୁଙ୍କୁ ମଧ୍ୟ ଟିମ୍‌ ଗିରଫ କରିଛି। ଫ୍ଲାଇଂ ସ୍କ୍ଵାଡ୍‌ର ଉପ ଅଧୀକ୍ଷକ ବି କେ ସିଂହ ସାମନ୍ତ ଓ ଉକ୍ତ ମୋବାଇଲ୍‌ ସ୍କ୍ଵାଡ୍‌ର ଆଇଆଇସି ଶରତ ଚନ୍ଦ୍ର ଭଞ୍ଜଙ୍କ ସହିତ ଆଇଆଇସି ଦେବୀ ପ୍ରସାଦ ଦାଶ ଓ ସୁଜିତ ମୁଦୁଲି ପ୍ରମୁଖଙ୍କ ସମେତ ୩୦ ଜଣିଆ ଟିମ୍‌ ଚଢ଼ଉରେ ସାମିଲ୍‌ ଥିଲେ ।

ସମ୍ବନ୍ଧିତ ଖବର