ସିରିୟଲ କିଲର ଦର୍ଜି: ଟଙ୍କା ପାଇଁ ଓଡ଼ିଶା ସମେତ ୪ ରାଜ୍ୟର ୩୦ ଜଣ ଟ୍ରକ ଡ୍ରାଇଭରଙ୍କୁ ହତ୍ୟା

ଭୋପାଳ: ଏକ ହତ୍ୟାକାଣ୍ଡର ତଦନ୍ତ କରୁଥିବା ବେଳେ ପୁଲିସ ଭୋପାଳ ଠାରୁ ୨୫ କିଲୋମିଟର ଦୂରର ଏକ ଦୋକାନ କରିଥିବା ଜଣେ ଦର୍ଜୀଙ୍କୁ ଗିରଫ କରିଛି। ସନ୍ଦେହରେ ପଚରାଉଚରା କରୁ କରୁ ପୁଲିସକୁ ଯେଉଁ ସୂଚନା ମିଳିଛି, ସେଥିରେ ବଡ଼ବଡ଼ ପୁଲିସ ଅଧିକାରୀମାନ ବି ଚକିତ ହୋଇ ଯାଇଛନ୍ତି । ଗତ ୮ ବର୍ଷ ମଧ୍ୟରେ ଜଣେ ନୁହେଁ, କିମ୍ବା ଦୁଇ ଜଣ ନୁହେଁ, ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଓ ଓଡ଼ିଶା ଆଦି ୪ଟି ରାଜ୍ୟରେ ୩୦ଟି ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ଦର୍ଜି ଜଣକ ଲକ୍ଷଲକ୍ଷ ଟଙ୍କା ଲୁଟ୍‌ କରିଛି। ଆଉ ତାର ହତ୍ୟାର ଶିକାର ହୋଇଛନ୍ତି ମାଲ ବୋଝେଇ କରି ଯାଉଥିବା ଟ୍ରକର ଡ୍ରାଇଭର ଓ ହେଲ୍ପର। ଏତେ ହତ୍ୟାକାଣ୍ଡ ଏହି ଯୁବ ଦର୍ଜି ଜଣକ ଘଟାଇଛନ୍ତି ଯେ ସେ ସବୁକୁ ସେ ମନେ ରଖି ପାରି ନାହାଁନ୍ତି। ତେଣୁ ଭୋପାଳ ପୁଲିସ ଅନ୍ୟ ୩ ରାଜ୍ୟର ପୁଲିସ ଅଧିକାରୀମାନଙ୍କ ସହିତ ଯୋଗାଯୋଗ କରି ଏହି ପରି ଆଉ କିଛି ହତ୍ୟାକାଣ୍ଡ ଗତ ୮ ବର୍ଷ ଭିତରେ ଘଟିଛି କି ବୋଳି ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଛି।


ପ୍ରକାଶ ଯେ, ଆଦେଶ ଖମ୍ବ୍ରା(୪୮ ବର୍ଷ)ଭୋପାଲ ଠାରୁ ୨୫ କିଲୋମିଟର ଦୂର ମନ୍ଦିଦୀପ ଶିଳ୍ପାଞ୍ଚଳରେ ଏକ ଟେଲରିଂ ଦୋକାନ କରିଥିଲେ। ତେବେ ସେ ଏକ ଟ୍ରକ୍‌ ଲୁଟ୍‌ ଗ୍ୟାଙ୍ଗ ସହିତ ସାମିଲ ହୋଇ ସହଜରେ ଟଙ୍କା ରୋଜଗାର କରିବାକୁ ଯୋଜନା କରିଥିଲେ।। ସେ କେବଳ ଟ୍ରକ୍‌ ଡ୍ରାଇଭରମାନଙ୍କ ସହିତ ବନ୍ଧୁତା କରି ସେମାନଙ୍କ ସହିତ ମଦପାନ କରୁଥିଲେ। ପରେ ତାଙ୍କ ଗ୍ୟାଙ୍ଗ ଟ୍ରକ୍‌ ଲୁଟ୍‌ କରୁଥିଲେ। ତେବେ ଗତ ୮ ବର୍ଷ ତଳେ ତାଙ୍କ ପୁଅ ଦୁର୍ଘଟଣାଗ୍ରସ୍ତ ହେବାରୁ , ସେଥିପାଇଁ କରିଥିବା ଋଣ ଶୁଝିବାକୁ ନିଜ ଅପରାଧର ପୃଷ୍ଠଭୂମି ତିଆରି କରଥିଲେ। ଟ୍ରକ୍‌ ଡ୍ରାଇଭରମାନଙ୍କୁ ମଦ ସହିତ ନିଶା ଦେଇ ହତ୍ୟା କରିବା ପରେ ଟ୍ରକ୍‌ରେ ଥିବା ମାଲକୁ ଲୁଟି ଅନ୍ୟତ୍ର ବିକ୍ରି କରି ବହୁ ଟଙ୍କା ରୋଜଗାର କରୁଥିଲେ ଆଦେଶ। ତେବେ ଗତ ଅଗଷ୍ଟ ୧୨ ତାରିଖ ଦିନ ଏକ ଲୁହା ରଡ୍‌ ବୋଝେଇ ଟ୍ରକ୍‌ ଲୁଟି ଘଟଣାରେ ପୁଲିସ ଭୋପାଳର ଜୟକିରଣ ପ୍ରଜାପତି ଓ ନାଗପୁରର ତୁକାରାମ ବଞ୍ଜାରାଙ୍କୁ ଗିରଫ କରିବା ପରେ ସେମାନେ ଆଦେଶ ଖମ୍ବ୍ରାଙ୍କ ନାମ ପ୍ରକାଶ କରିଥିଲେ। ବାହାରକୁ ଅତ୍ୟନ୍ତ ଶାନ୍ତ ଓ ନିରିହ ଦେଖାଯାଉଥିବା ଆଦେଶକୁ ପୁଲିସ ନେଇ ପଚରା ଉଚରା କରିବା ପରେ ସେ କହିଥିଲା ଯେ ସେ କେତେ ହତ୍ୟାକାଣ୍ଡ ଘଟାଇଛି ତାର ମନେ ନାହିଁ। ତେବେ ମଧ୍ୟପ୍ରଦେଶରେ ୧୫ଟି, ମହାରାଷ୍ଟ୍ରରେ ୮ଟି, ଛତିଶଗଡ଼ରେ ୫ଟି ଓ ଓଡ଼ିଶାରେ ୨ଟି ଟ୍ରକ୍‌ ଡ୍ରାଇଭରଙ୍କୁ ହତ୍ୟା କରି ସେମାନଙ୍କ ମାଲ ଲୁଟ୍‌ କରିଥିବା କଥା ତାର ମନେ ଅଛି। ଆଉ କେତେ ହତ୍ୟାକାଣ୍ଡ ସେ ଘଟାଇଛି ପୁଲିସ ସେ ହତ୍ୟାକାଣ୍ଡର ବିବରଣୀ ଦେଲେ ସେ ମନେ ପକାଇ ଏଥିରେ ସେ ସମ୍ପୃକ୍ତ କିମ୍ବା ନୁହେଁ କହିପାରିବ ବୋଲି ଆଦେଶ ପୁଲିସକୁ କହିଛି। ଏହା ଶୁଣିବା ପରେ ପୁଲିସ ଜଣେ ମନସ୍ତତ୍ତ୍ୱବିତ୍‌ଙ୍କ ସହାୟତାରେ ଆଦେଶଙ୍କୁ ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର