ମା’-ଝିଅଙ୍କୁ ଘର ଭିତରେ ବନ୍ଦ ରଖି ୪୦ ଦିନ ଶାରୀରିକ-ମାନସିକ ନିର୍ଯାତନା ଦେବା ଘଟଣାରେ ଖବରଦାତା ଗିରଫ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରସାହି ଥାନା ଅଂଚଳର ଜଣେ ମହିଳା ଓ ତାଙ୍କର ମା’ଙ୍କୁ ରାଉରକେଲାରେ ଏକ ଘର ଭିତରେ ବନ୍ଦ ରଖି ୪୦ ଦିନ ଯାଏଁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଘଟଣାରେ ପୁଲିସ ଅଭିଯୁକ୍ତ ଖବରଦାତାଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବାସନ୍ତୀ କଲୋନିର ଅଶୋକ ମହାନ୍ତି। ସୂଚନା ମିଳିବା ପରେ ଉଦିତ ନଗର ଥାନା ପୁଲିସ ବୁଧବାର ଘଟଣାସ୍ଥଳର ପହଞ୍ଚି ଅଭିଯୁକ୍ତ ଅଶୋକ ମହାନ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ ସାରନଗରୀସ୍ଥିତ ଏକ ଔଷଧ ଦୋକାନୀଙ୍କ ପତ୍ନୀ ମାଧବୀ(ଛଦ୍ମନାମ) ତିନି ମାସ ତଳେ ରାସନ୍‌କାର୍ଡ଼ ସଂଶୋଧନ କରିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଯାଇଥିଲେ। ସେଠାରୁ ସେ ଘରକୁ ଚାଲି ଚାଲି ଫେରୁଥିବା ବେଳେ ଅଶୋକ ମହାନ୍ତିଙ୍କ ସହିତ ଦେଖା ହୋଇଥିଲା। ଅଶୋକ ନିଜକୁ ଖବରଦାତାର ପରିଚୟ ଦେଇ ମହିଳାଙ୍କ ସମସ୍ତ ସମସ୍ୟାର ସମାଧାନ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏହା ପରେ ମାଧବୀ ବିଶ୍ୱାସ କରି ଅଶୋକକୁ ନିଜ ସ୍ୱାମୀଙ୍କ ସହିତ ପରିଚିତ କରାଇ ଦେଇଥିଲେ।

ଏକଦା ଦିନେ ମାଧବୀଙ୍କ ମା’ଙ୍କୁ ତାଙ୍କ ବାପା ମାଡ଼ ମାରିଥିଲେ। ଏହା ପରେ ସେ ରାଉରକେଲା ଚାଲି ଆସିଥିଲେ। ଏକଥା ଅଶୋକ ଜାଣିପାରି ମାଧବୀଙ୍କ ମା’ଙ୍କୁ ଡାକି ଆଣିଥିଲେ ଏବଂ ପରେ ସେ ମାଧବୀଙ୍କୁ ମଧ୍ୟ ବାସନ୍ତୀ କଲୋନୀ ସ୍ଥିତ ନିଜ ଘରକୁ ଡାକିଥିଲେ। ମାତ୍ର ମାଧବୀ ଏଥିରେ ରାଜି ନହେବାରୁ ଧମକ ଦେଇଥିଲେ । ତୋ ମା’, ସ୍ୱାମୀ, ଦିଅରକୁ ମାରିଦେବି ଓ ଝିଅକୁ ଦୁଷ୍କର୍ମ କରିଦେବି ବୋଲି ଅଶୋକ ଧମକ ଦେଇଥିଲେ। ଯେଉଁଥିପାଇଁ ଜୀବନ ବିକଳରେ ଅଶୋକଙ୍କ ଘରକୁ ମାଧବୀ ଧାଇଁ ଆସିଥିଲେ। ଅଶୋକଙ୍କ ଘରେ ପହଞ୍ଚିବା ପରେ ମାଧବୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେବାକୁ ପଡ଼ିଥିଲା।

ମାତ୍ର ସୁଯୋଗ ଦେଖି ମାଧବୀ ଫୋନରେ ନିଜ ଭଉଣୀକୁ ଘଟଣା ସଂପର୍କରେ ସୂଚନା ଦେଇଥିଲେ। ପୁଲିସକୁ ଏହି ସୂଚନା ମିଳିବା ପରେ ଅଶୋକ ଆଜି ଗିରଫ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର