ରେଭେନ୍ସା ଛାତ୍ରଙ୍କୁ ଅପହରଣ କରି ଚଳନ୍ତା ଗାଡ଼ିରୁ ଠେଲିଦେଲେ

କଟକରେ ଅପହରଣ, ରାଜଧାନୀରୁ ଉଦ୍ଧାର

କଟକ: ରେଭେନ୍ସା ଛାତ୍ରଙ୍କୁ କଟକରୁ ଅପହରଣ ହୋଇଛି । ଦୁର୍ବୃତ୍ତମାନେ ସମ୍ପୃକ୍ତ ଛାତ୍ରଙ୍କ ଗୋଡ଼ ହାତ କାଟି ଭୁବନେଶ୍ୱରେ ଶିଶୁଭବନ ଛକରେ ଚଳନ୍ତା ଗାଡ଼ିରୁ ଫିଙ୍ଗି ଫେରାର ହୋଇଯାଇଛନ୍ତି। ସମ୍ପୃକ୍ତ ଛାତ୍ର ଜଣକ କଲ୍ୟାଣୀନଗର ଅଞ୍ଚଳର ପରେଶ ଚନ୍ଦ୍ର ବାରିକଙ୍କ ପୁଅ ସୌମ୍ୟକାନ୍ତ ଦାସ(୨୯) । ରାସ୍ତାରେ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣି ଭୁବନେଶ୍ୱରରୁ ତାଙ୍କୁ ଉଦ୍ଧାର କରିଛନ୍ତି । ରାତିରେ ଚାଉଳିଆଗଞ୍ଜ ଥାନାରେ ପରିବାର ଲୋକେ ଏତଲା ଦେବାକୁ ଯାଇଥିଲେ। କିନ୍ତୁ ଆସନ୍ତାକାଲି ଏତଲା ଦେବାକୁ ପୁଲିସ ପରିବାର ଲୋକଙ୍କୁ କହିଥିବା ସୂଚନା ମିଳିଛି ।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷରେ ପଢ଼ୁଛନ୍ତି ସୌମ୍ୟକାନ୍ତ । ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ସାଇକେଲ୍‌ ଯୋଗ କଲ୍ୟାଣୀନଗର ଘରୁ ବାହାରି ଅରୁଣୋଦୟ ମାର୍କେଟ୍‌ରେ ଥିବା ଏକ ଘରୋଇ କୋଚିଂ ସେଣ୍ଟର ଆସୁଥିଲେ । ଓଏମ୍‌ପି ଛକ ନିକଟରେ ଏକ ଗାଡ଼ିରେ ୫ ଜଣ ଦୁର୍ବୃତ୍ତ ପହଞ୍ଚି ରାସ୍ତାରେ ତାଙ୍କୁ କିଛି ନିଶା ଦ୍ରବ୍ୟ ଶୁୁଙ୍ଘାଇ ଚେତାଶୂନ୍ୟ କରି ଅପହରଣ କରିଥିଲେ । କିଛି ଘଣ୍ଟା ପରେ ଚେତା ଫେରିବାରୁ ସେ ଗାଡ଼ି ଭିତରେ ପାଟି କରିଥିଲେ । କିନ୍ତୁ ଦୁର୍ବୃତ୍ତମାନେ ପାଟି ଚୁପ୍‌ କରିବାକୁ କହି ତାଙ୍କ ଗୋଡ଼, ହାତ ଏବଂ ପାପୁଲିକୁ ବ୍ଲେଡ୍‌ରେ କାଟି ପକାଇଥିଲେ। ଭୁବନେଶ୍ୱର ଶିଶୁଭବନ ଛକ ନିକଟରେ ସୋମାକାନ୍ତଙ୍କ ଦୁଇ ଗୋଡ଼କୁ ବାନ୍ଧି ଚଳନ୍ତା ଗାଡ଼ିରୁ ରାସ୍ତା ଉପରେ ଫିଙ୍ଗି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ବହୁତ କଷ୍ଟରେ ସେ ନିକଟରେ ଥିବା ଜଣେ ଟ୍ରାଫିକ୍‌ ପୁଲିସ କର୍ମଚାରୀଙ୍କ ମୋବାଇଲ୍‌ରୁ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲେ । ରାତି ପ୍ରାୟ ୯ଟା ବେଳେ ପରିବାର ଲୋକେ ଫୋନ୍‌ କଲ୍‌ ପାଇବା ପରେ ଭୁବନେଶ୍ୱରରେ ପହଞ୍ଚି ସୌମ୍ୟକାନ୍ତକୁ ଉଦ୍ଧାର କରିଥିଲେ । ସେଠୁ ତାଙ୍କୁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ । ଚିକିତ୍ସା ପରେ ରାତି ପ୍ରାୟ ୧୨ଟା ବେଳେ ଚାଉଳିଆଗଞ୍ଜ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଅଭିଯୋଗ କରିଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି ।

ସମ୍ବନ୍ଧିତ ଖବର