ଛୁରାମାଡ଼ ଘଟଣା : ଜେଲ୍‌ ଗଲେ ୨ ଅଭିଯୁକ୍ତ

ଭୁବନେଶ୍ୱର : ଏୟାରପୋର୍ଟ ଥାନା ଅଧୀନ କାରଗିଲ ବସ୍ତି ନିକଟରେ ଯୁବକଙ୍କୁ ଛୁରାମାଡ଼ ଘଟଣାରେ ଦୁଇ ଅଭିଯୁକ୍ତ ଜେଲ୍‌ ଯାଇଛନ୍ତି। ଗତକାଲି ରାତିରେ ଗିରଫ ହୋଇଥିବା ଗଣ୍ଡମୁଣ୍ଡା ତାରିଣୀ ବସ୍ତିର ଭାଗ୍ୟବନ୍ତ ରାଉତ ଓ ଭୀମଟାଙ୍ଗିର ପ୍ରଦୀପ ସାହୁଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। କାରଗିଲ ବସ୍ତି ନିକଟରେ ଥିବା କଲ୍ୟାଣ ମଣ୍ଡପ ଠାରେ ଚନ୍ଦନ ମହାପାତ୍ର ଛିଡ଼ା ହୋଇଥିବା ବେଳେ ତାଙ୍କୁ ଏହି ଦୁଇଜଣ ଛୁରି ମାରିଥିବା ଅଭିଯୋଗ ହୋଇଥିଲା। ଏମାନଙ୍କ ସହ ଆଉ ଚାରିଜଣଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି।

ଲୁଟେରାକୁ ଛେଚି ପୁଲିସ୍‌ରେ ଦେଲେ

ଭୁବନେଶ୍ବର : ରବିବାର ସନ୍ଧ୍ୟାରେ ଲାଲ୍‌ଚାନ୍ଦ ଗହଣା ଦୋକାନ ନକିଟରେ ଜଣେ ମହିଳାଙ୍କୁ ଆକ୍ରମଣ କରି ଗହଣା ଛଡ଼ାଇ ଫେରାର୍‌ ଉଦ୍ୟମ କରୁଥିବା ବେଳେ ସେଠାରେ ଥିବା ଲୋକେ ଜଣେ ଲୁଟେରାକୁ କାବୁ କରି ନିସ୍ତୁକ ମାଡ଼ ମାରି ପୁଲିସ ଜିମା ଦେଇଥିଲେ। ପୁଲିସ ତାକୁ ଗିରଫ କରିବା ସହିତ ତାଠାରୁ ମହିଳାଙ୍କ ଭ୍ୟାନିଟି ବ୍ୟାଗ୍‌ ଓ ଗହଣା ଜବତ କରିଥିଲା। ସେ ହେଲା ବିଶ୍ବଜିତ ସାହୁ(୩୧)। ଘର ଜଟଣୀ ଦେଉଳବସ୍ତି। ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ସମୟରେ ବଡ଼ଗଡ଼ ଅଞ୍ଚଳର ପ୍ରଦୀପ ଦାସ ଓ ତାଙ୍କ ପତ୍ନୀ ଗହଣା କିଣିବା ପାଇଁ ଲାଲ୍‌ଚାନ୍ଦ ଯାଇଥିଲେ। ଫେରିବା ‌ବେଳକୁ ବିଶ୍ବଜିତ୍ ପ୍ରଦୀପଙ୍କ ପତ୍ନୀଙ୍କୁ ଧକ୍କା ମାରି ବ୍ୟାଗ୍‌ ଝାମ୍ପି ନେଇଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ନାବାଳିକାଙ୍କୁ ଦୁଷ୍କର୍ମ, ଅପହର୍ତ୍ତା ଗିରଫ

ଭୁବନେଶ୍ବର : ଜଣେ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଅପହର୍ତ୍ତାକୁ ଗିରଫ କରିଛି। ସେ ହେଲା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ବିରେନ୍ଦ୍ର ବେହେରା ଓରଫ ବିରି(୨୨)। ଏଠାରେ ସାଲିଆସାହିରେ ରହୁଥିଲା। ନାବାଳିକାଜଣଙ୍କ ତା’ କଥାରେ ରାଜି ନ ହେବାରୁ ବିରି ତାଙ୍କୁ ଅପହରଣ କରି ନେଇ ଦୁଷ୍କର୍ମ କରିଥିଲା। ନାବାଳିକା ଜଣଙ୍କ ଘରକୁ ଫେରିବା ପରେ ଘଟଣା ବିଷୟରେ ଜଣାଇଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ବିରିକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମୋବାଇଲ୍‌ ଚୋରି ଓ ମାଡ଼ ମାରିବା ଅଭିଯୋଗରେ ଯୁବକ ଗିରଫ

ପୁରୁଣା ଭୁବନେଶ୍ବର : ମୋବାଇଲ୍‌ ଚୋରି ଓ ମାଡ଼ ମାରିବା ଅଭିଯୋଗରେ ଏୟାର ଫିଲ୍‌ଡ ଥାନା ପୁଲିସ ଜଣେ ଯୁବକୁ ଗିରଫ କରିଛି। ସେ ହେଲା ପଶ୍ଚିମବଙ୍ଗ ମେଦିନପୁର ନନ୍ଦି ଗ୍ରାମର ସୋନୁ ଓରଫ ସୁବ୍ରତ ଦାସ ଅଧିକାରୀ(୨୧)। ମୁର୍ସିଦାବାଦ ଅଞ୍ଚଳର ରହିମ ସେକ୍‌ ବୈଭବଙ୍କ ମୋବାଇଲ୍‌ ଚୋରି କରୁଥିବା ବେଳେ କରୁଥିଲା। ଏହା ଦେଖି ରହିମ୍‌ ଚିତ୍କାର କରିବାରୁ ଉଭୟଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସୋନୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର