ରାସ୍ତା ଉପରେ ଅଭିନେତ୍ରୀଙ୍କ ପିଛା କରି ଅଡୁଆରେ ଅଭିନେତା; ରୁଜୁ ହେଲା ଯୌନ ଉତ୍ପୀଡ଼ନ ମାମଲା

କୋଲକାତା: ପ୍ରସିଦ୍ଧ ବଙ୍ଗଳା ଅଭିନେତା ସଞ୍ଜୟ ମୁଖାର୍ଜୀଙ୍କୁ କୋଲକାତା ପୁଲିସ୍‌ ଗିରଫ କରିଛି। ଜଣେ ଅଭିନେତ୍ରୀଙ୍କୁ ଏହି ଅଭିନେତା ରାସ୍ତାରେ ଗୋଡ଼ାଉ ଥିବାରୁ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା ଲଗାଯାଇଛି।

ପୁଲିସ୍‌ ମୁତାବିକ୍‌, ଅଭିନେତା ମୁଖାର୍ଜୀ ଜଣେ ୩୨ ବର୍ଷୀୟା ଅଭିନେତ୍ରୀଙ୍କ ପିଛା କରିଥିଲେ। ଅଭିନେତ୍ରୀ ଜଣକ ଶୁକ୍ରବାର ନିଜ ଜିମ୍‌ରୁ ଫେରୁଥିବା ବେଳେ ଅଭିନେତା ତାଙ୍କ ପଛେ ପଛେ ଯାଇଥିଲେ। କିଛି ବାଟ ଅତିକ୍ରମ କରିବା ପରେ ଅଭିନେତା ମୁଖାର୍ଜୀ ନିଜ କାର୍‌କୁ ନେଇ ଅଭିନେତ୍ରୀଙ୍କ କାର୍‌ ପଛରେ ଲଗାଇ ଦେଇଥିଲେ। ଅଭିନେତ୍ରୀଙ୍କୁ ଅଟକାଇବା ସହ ତାଙ୍କ ସହ ଅଭିନେତ୍ରୀଙ୍କ କାର୍‌ରେ ବସିଥିବା ଆସିଷ୍ଟାଣ୍ଟ୍‌ଙ୍କୁ ମଧ୍ୟ ଅଭିନେତା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ପୁଲିସ୍‌ ମୁଖାର୍ଜୀଙ୍କର ଏହି କାର୍‌କୁ ଜବତ କରିଛି। ଏହା ବ୍ୟତୀତ ଆଇପିଏସ୍‌ ଧାରା ୫୦୬, ୩୪୧, ୫୦୯ ଓ ୨୭୯ ଅନୁଯାୟୀ ପୁଲିସ୍‌ ମୁଖାର୍ଜୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଶନିବାର ମୁଖାର୍ଜୀଙ୍କୁ କୋର୍ଟ ଯିବା ପରେ ତାଙ୍କୁ ଜାମିନ୍‌ ମିଳିଛି।

ପୁଲିସ୍‌ ଏହି ଘଟଣାର ଅଧିକ ତଥ୍ୟ ହାତେଇବା ପାଇଁ ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରିବ। ଅଭିନେତ୍ରୀ ଜଣକ ପୁଲିସ୍‌କୁ କହିଛନ୍ତି କି ପୂର୍ବରୁ ବି ଅଭିନେତା ମୁଖାର୍ଜୀ ତାଙ୍କୁ ହଇରାଣ କରୁଥିଲେ। ମାତ୍ର ସେ ତାହାକୁ ଅଣଦେଖା କରିଥିଲେ।

ଉଲ୍ଲେଖଯୋଗ୍ୟ, ଏହି ଅଭିନେତ୍ରୀ ଅଭିନେତା ମୁଖାର୍ଜୀଙ୍କ ସହ ୨୦୧୦ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଟାର୍ଗେଟ୍‌’ରେ କାର୍ଯ୍ୟ କରିଥିଲେ। ଏହି ଚଳଚ୍ଚିତ୍ରରେ ସୁପର୍‌ଷ୍ଟାର ମିଥୁନ ବି ନଜର ଆସିଥିଲେ।

ସମ୍ବନ୍ଧିତ ଖବର