ଆଦର୍ଶ କୋଅପରେଟିଭ୍‌ ସୋସାଇଟି ଠକେଇ : ପୂର୍ବତନ ସମ୍ପାଦକ ଗିରଫ

ଭୁବନେଶ୍ୱର : ଆଦର୍ଶ କଞ୍ଜୁମର୍‌ କୋ-ଅପରେଟିଭ୍‌ ସୋସାଇଟି ନାଁରେ ଜମାକାରୀଙ୍କଠାରୁ ୧୨କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ସଂସ୍ଥାର ପୂର୍ବତନ ସଂପାଦକଙ୍କୁ ଗିରଫ କରିଛି। ସେ ହେଲେ, ରାଉରକେଲା କୋଏଲନଗର ଅଞ୍ଚଳର ଶରତ କୁମାର ସେନାପତି(୫୬)। ଓଡ଼ିଶା ଜମାକାରୀ ସ୍ୱାର୍ଥରକ୍ଷା(ଓପିଆଇଡି) ଆଇନ-୨୦୧୧ ଅନୁଯାୟୀ ତାଙ୍କୁ ସମ୍ବଲପୁରସ୍ଥିତ ଓପିଆଇଡି ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। କିନ୍ତୁ ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କୋଏଲନଗରସ୍ଥିତ କ୍ୱାର୍ଟର୍‌ ନମ୍ବର ଡି/୧୨୫ରେ ଏହି ବେଆଇନ ଅର୍ଥଲଗାଣକାରୀ ସଂସ୍ଥା ଦୀର୍ଘ ଦିନ ଧରି ଚାଲିଥିଲା। ଏଥିରେ ଶରତ ୧୯୯୬ରୁ ୨୦୧୧ ମସିହା ପର୍ଯ୍ୟନ୍ତ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ଗତ ୨୦୦୩ ମସିହାରେ ଶରତ ଏବଂ ତାଙ୍କର ସହଯୋଗୀମାନେ ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌(ସେଲ୍‌)ର ମୁଖ୍ୟ କାର୍ମିକ ପ୍ରବନ୍ଧକ ବ୍ୟୋମକେଶ ପଣ୍ଡାଙ୍କୁ ଜାତୀୟ ବ୍ୟାଙ୍କଠାରୁ ଅଧିକ ସୁଧ (୧୫%) ଦେବାର ଲୋଭ ଦେଖାଇ ତାଙ୍କଠାରୁ ୨୦ ଲକ୍ଷ ଟଙ୍କା ଠକି ନେଇଥିଲେ। ଖାଲି ଶ୍ରୀ ପଣ୍ଡା ନୁହେଁ, ଏମିତି ଅନେକ ବ୍ୟକ୍ତିଙ୍କୁ ଅଧିକ ସୁଧ ଦେବାର ଲୋଭ ଦେଖାଇ ସଂସ୍ଥା ପ୍ରାୟ ୧୨କୋଟି ଟଙ୍କା ଠକେଇ କରିଥିଲା। ପରେ ଅଚାନକ ଭାବେ ଏହି ସଂସ୍ଥା ବନ୍ଦ ହୋଇଯାଇଥିଲା। ଟଙ୍କା ଫେରସ୍ତ ପାଇଁ ଜମାକାରୀମାନେ ସଂସ୍ଥା ସହ ଯୋଗାଯୋଗ କରିଥିଲେ ହେଁ କିଛି ସୁଫଳ ମିଳିନଥିଲା। ଏନେଇ ୨୦୧୭ ମସିହାରେ ଶ୍ରୀ ପଣ୍ଡା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତ ପାଇଁ ଇଓଡବ୍ଲ୍ୟୁକୁ ନିର୍ଦେଶ ଦେବାରୁ ଇଓଡବ୍ଲ୍ୟୁ ପକ୍ଷରୁ ନମ୍ବର ୧୧/୧୭ରେ ଆଇପିସି ଦଫା ୪୨୦, ୪୦୬ ଏବଂ ଓପିଆଇଡି ଧାରା-୬ରେ ସଂସ୍ଥା ସହ ସମ୍ପୃକ୍ତ କର୍ମଚାରୀ ଓ ଶ୍ରୀ ସେନାପତିଙ୍କ ନାମରେ ମାମଲା ରୁଜୁ କରିଥିଲା। ଉଲ୍ଲେଖଯୋଗ୍ୟ, ଗତ ୩ ତାରିଖରେ ସଂସ୍ଥାର ସଭାପତି ବିଜୟ କୁମାର ପାଢ଼ୀଙ୍କୁ ଇଓଡବ୍ଲ୍ୟୁ ଗିରଫ କରି ସମ୍ବଲପୁର ଓପିଆଇଡି କୋର୍ଟକୁ ପଠାଇଥିଲା।

ସମ୍ବନ୍ଧିତ ଖବର