ଅପରାଧର କାୟା ବଢାଉଛି ଟିଟୋ ଗ୍ୟାଙ୍ଗ : ଟିଟୋ ଏବେ ବି ପୁଲିସ ପାଇଁ ଅପହଞ୍ଚ!

କଟକ : ଡି-ବଦର୍ସଙ୍କ ପତନ ପରେ ଏବେ ଅପରାଧର କାୟା ବଢାଉଛି ଟିଟୋ ଗ୍ୟାଙ୍ଗ। କଟକ ଜଗତପୁର ଗୁଳିକାଣ୍ଡର ତଦନ୍ତ ବେଳେ ଏହି ସିଦ୍ଧାନ୍ତରେ ପହଁଚିଛି କମିସନରେଟ୍‌ ପୁଲିସ। ଟେଣ୍ଡର ଫିକ୍ସିଂ ଭଳି ବଡ଼ ବଡ଼ ଅପରାଧ ପଛରେ ରହିଛି ଟିଟୋ ଗ୍ୟାଙ୍ଗର ହାତ। ହେଲେ ଟିଟୋ କେଉଁଠି ରହି ତା’ର ପୂରା ଅପରେସନକୁ ଚଳାଉଛି, ଏ ନେଇ ଖବର ନାହିଁ ପୁଲିସ ପାଖରେ।

କଟକ ଜଗତପୁର ଗୁଳିକାଣ୍ଡର ତଦନ୍ତ ବେଳେ କମିସନରେଟ୍‌ ପୁଲିସକୁ ମିଳିଛି ବଡ଼ ସୁରାକ। ଟେଣ୍ଡର ଫିକ୍ସିଂ ଭଳି ଅପରାଧ ଜଗତରେ ଧଳସାମନ୍ତ ଭାଇଙ୍କ ପ୍ରଭାବ ଖସୁଥିବା ବେଳେ ସକ୍ରିୟ ହୋଇ ଉଠିଛି ଟିଟୋ ଗ୍ୟାଙ୍ଗ୍‌ । ମାର୍ଚ୍ଚ ୨୯ ତାରିଖରେ କଟକ ଜଗତପୁରରେ ଗୁଳିକାଣ୍ଡର ଶିକାର ହୋଇଥିଲା ତାହିର ଅଲ୍ଲୀ। ତାହିର ହେଉଛି ଆତଙ୍କୀ ଲିଙ୍କ ନେଇ ଗିରଫ ହୋଇଥିବା ଅବଦୁର ରହେମାନର ବଡ ଭାଇ। ଏହି ଘଟଣାରେ ୮ଜଣଙ୍କୁ ଗିରଫ କରିବା ପରେ ପୁଲିସକୁ ମିଳିଛି ଚାଂଚଲ୍ୟକର ତଥ୍ୟ। ପଚରାଉଚରା ପରେପୁଲିସ ଜାଣିବାକୁ ପାଇଛି ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଟିଟୋର ସହଯୋଗୀ। ଆଉ ଟେଣ୍ଡର ଫିକ୍ସିଂକୁ ନେଇ ହୋଇଥିଲା ଗୁଳିମାଡ଼। ପୂରା ସତ ଜାଣିବାକୁ କୁଖ୍ୟାତ ଅପରାଧୀ ଟିଟୋକୁ ତଦନ୍ତ ପରିସରଭୁକ୍ତ କରିବ କମିଶନରେଟ ପୁଲିସ।

ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ, ରାଜା ଆଚାର୍ଯ୍ୟ, ଅନୀଲ ଛୋଟରାୟ ଓ ହାଇଦରଙ୍କ ଭଳି ଓଡ଼ିଶା ଓଣ୍ଡରୱାର୍ଲ୍‌ଡର ବଡ଼ ବଡ଼ ଅପରାଧୀ ଏବେ ଜେଲ ଭିତରେ। ହେଲେ ଟିଟୋ ଏବେ ବି ପୁଲିସ ପାଇଁ ଅପହଞ୍ଚ। ପୁଲିସ ବିଶ୍ୱାସ କରୁଛି ଟିଟୋର ଇସାରାରେ ହେଉଛି ଟେଣ୍ଡର ଫିକ୍ସିଂ ଭଳି ବଡ଼ ବଡ଼ ଅପରାଧ। ମାତ୍ର ଟିଟୋ ନିକଟରେ ପହଁଚିପାରୁନି ପୋଲିସ। ନିଜେ ଅଦୃଶ୍ୟ ରହି ବୁଣି ଚାଲିଛି ଅପରାଧର ଷଡଯନ୍ତ୍ର। ଗୋଟିଏ ପଟେ ଟିଟୋ ନାଁରେ ସହଯୋଗୀମାନେ ଉତ୍ପାତ କରୁଥିବା ବେଳେ ଟିଟୋ ରହିଯାଇଛି ଆଢୁଆଳରେ। କୋଲକାତାରେ ଟିଟୋକୁ ପୁଲିସ ଏନକାଉଣ୍ଟର କରିଥିବା ଖବର ମଧ୍ୟ ଗୋଟିଏ ସମୟରେ ଚର୍ଚ୍ଚା ହେଉଥିଲା।

ସମ୍ବନ୍ଧିତ ଖବର