ଆଉ ଜଣେ ଯୁବତୀଙ୍କ ଫଟୋ ଭାଇରାଲ୍‌

ପୁଲିସ କବ୍‌ଜାରେ ଦୁଇ ଅଭିଯୁକ୍ତ

ଚନ୍ଦ୍ରଶେଖରପୁର: ସାରା ରାଜ୍ୟରେ ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍‌ ହେବା ଘଟଣା ଥମୁ ନଥିବାବେଳେ ଆଜି ରାଜଧାନୀରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। କୌଶଳ କରି ଯୁବତୀଙ୍କ ଅନ୍ତରଙ୍ଗ ଫଟୋକୁ ହାତେଇବା ପରେ ବ୍ଲାକ୍‌ମେଲିଂ କରିବା ଏବଂ ଯୁବତୀ ଜଣଙ୍କ ରାଜି ନହେବାରୁ ନକଲି ଫେସବୁକ୍‌ ଆଇଡିରେ ସେହି ଅନ୍ତରଙ୍ଗ ଫଟୋକୁ ପୋଷ୍ଟ କରିବା ଘଟଣାରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଭୁବନେଶ୍ୱରର ରଘୁନାଥପୁର ଅଞ୍ଚଳର ରାଜୁ ରାଉତ (୨୩) ଏବଂ ବମିଖାଲ ଅଞ୍ଚଳର ବିଭୂତି ଭୂଷଣ ନାୟକ (୫୦)। ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଦୀପକ ମିଶ୍ରଙ୍କ ସୂଚନା ଅନୁଯାୟୀ ଯୁବତୀ ଜଣଙ୍କ ନିଜ ଘରେ ରହୁଥିବାବେଳେ ପୂର୍ବରୁ ଏହି ଯୁବକଙ୍କ ସହିତ କୌଣସି ସମ୍ପର୍କ ନଥିଲା। ତେବେ ରାଜୁ କୌଶଳକ୍ରମେ ଯୁବତୀଙ୍କର ଫଟୋକୁ ହାତେଇବା ପରେ ହିଁ ବ୍ଲାକ୍‌ମେଲିଂ ଆରମ୍ଭ କରିଥିଲା। ମାତ୍ର ଯୁବତୀ ଜଣଙ୍କ ଏ ନେଇ ସାହସର ସହିତ ପୁଲିସରେ ଅଭିଯୋଗ କରିବାରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଆଉ ପୁଲିସ୍‌କୁ ଏହି ଘଟଣାରେ ସଫଳତା ମିଳିଥିଲା। ମୋବାଇଲ୍‌ ଫୋନ୍‌ ଟ୍ରାକିଂରୁ ଦୁଇ ଅଭିଯୁକ୍ତ ଧରା ପଡ଼ି ଯାଇଥିଲେ। ରଙ୍ଗିଲା ରାଜୁକୁ ଏହି କୁକର୍ମରେ ସାହାଯ୍ୟ କରିଥିବା ବିଭୂତିକୁ ମଧ୍ୟ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି। ଅଭିଯୁକ୍ତ ରାଜୁ ଏହି ଘଟଣାରେ ନିଜ ଦୋଷ ସ୍ୱୀକାର କରିଛି। ପୁଲିସ୍‌ ଏହି ଘଟଣାରେ ଆଇପିସି ୫୦୬, ୩୫୪, ୪୬୫, ୪୬୯, ୩୪, ୬୬(ସି), ୬୭, ୬୭(ଏ) ଓ ବି ଏବଂ ଆଇଟି ଆକ୍ଟ ଭଳି ସଂଗିନ ଧାରାରେ ଦଫାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରିଛି।

ସମ୍ବନ୍ଧିତ ଖବର