ବଟି ମାଗିବା ଅଭିଯୋଗ: ପୁଣି ଆକାଶ, ଅଗ୍ନି ଗିରଫ

ଖଣ୍ଡଗିରି: କିଛି ଦିନ ପୂର୍ବେ ଜେଲ୍‌ରୁ ଜାମିନ୍‌ରେ ଆସିଥିବା ଦୁଇ ଭାଇ ଆକାଶ ଓ ଅଗ୍ନିକୁ ପୁଣି ଗିରଫ କରିଛି କମିସନରେଟ୍‌ ପୁଲିସ। ଆଇଗିଣିଆରେ ଜଣେ ବ୍ୟବସାୟୀଙ୍କୁ ବଟି ମାଗିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ପୁଲିସ ସୂଚନାନୁସାରେ ଗତ ୬ ତାରିଖ ଦିନ ଏହି ଦୁଇ ଭାଇ ଓ ତାଙ୍କର ଜଣେ ସହଯୋଗୀ ଚିତ୍ତରଂଜନ ପରିଜା ଆଇଗିଣିଆ କୁବେରପୁରୀ ବଜାରରେ ସହଦେବ ସେନାପତି ନାମକ ଜଣେ ବ୍ୟବସାୟୀଙ୍କୁ ମାଡ଼ ମାରିଥିଲେ। ବଟି ଦେବାକୁ ବାଧ୍ୟ କରି ସେମାନେ ସହଦେବଙ୍କୁ ମାଡ଼ ମାରିଥିଲେ ବୋଲି ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଗତ ସେପ୍ଟେମ୍ବର ମାସରେ ଏହି ଦୁଇ ଭାଇଙ୍କ ପାଇଁ ଡୁମୁଡୁମା ବଜାରରେ ତୁମୁଳକାଣ୍ଡ ଘଟିଥିଲା। ରଘୁନାଥନଗରବାସୀଙ୍କ ସହ ଏହି ଦୁଇ ଭାଇଙ୍କ ଗଣ୍ଡଗୋଳକୁ ନେଇ ଡୁମୁଡୁମା ବଜାରେ ବ୍ୟାପକ ପୋଡ଼ାଜଳା ଓ ଭଙ୍ଗାରୁଜା ହୋଇଥିଲା। ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବାକୁ ଯାଇ ଖଣ୍ଡଗିରି ଥାନା ପୁଲିସ ରଘୁନାଥନଗରବାସୀଙ୍କ କ୍ରୋଧର ଶିକାର ହୋଇଥିଲା। ଟେକାପଥର ମାଡ଼ରେ ପୁଲିସ ଆହତ ହୋଇଥିଲା। ସେହି ମାମଲା‌ରେ ପୁଲିସ ଆକାଶ ଓ ଅଗ୍ନି ସହ ୫ ଜଣଙ୍କୁ ଗିରଫ କରିଥିବାବେଳେ ପୁଲିସକୁ ଆକ୍ରମଣ କରିଥିବା ଅଭିଯୋଗରେ ରଘୁନାଥନଗରରୁ ପ୍ରାୟ ୩୦ଜଣଙ୍କୁ ଗିରଫ କରିଥିଲା। ପୂର୍ବରୁ ମଧ୍ୟ ଏହି ଗ୍ୟାଙ୍ଗ୍‌ ବହୁ ଆପରାଧିକ ମାମଲାରେ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର