ଭଉଣୀ ହତ୍ୟାକାରୀଙ୍କୁ ଗିରଫ ଦାବି

ମହିଳା କମିସନଙ୍କ କାର୍ଯ୍ୟାଳୟ ଆଗରେ ଭାଇର ଧାରଣା

ଭୁବନେଶ୍ୱର: ଭଉଣୀ ହତ୍ୟାର ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବି କରି ମହିଳା କମିସନଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଭାଇ। ଗତ ତିନି ଦିନ ହେଲା ମହିଳା କମିସନଙ୍କ କାର୍ଯ୍ୟାଳୟ ଆଗରେ ବସି ରହିଛନ୍ତି। କମିସନ ମଧ୍ୟ ତାଙ୍କ ଅଭିଯୋଗକୁ ଗ୍ରହଣ କରି କଟକ ଡିସିପିଙ୍କୁ ସପ୍ତାହକ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଗୁଣ୍ଠପଡ଼ାର ମିତା ପାତ୍ର ନାମକ ଜଣେ ଯୁବତୀଙ୍କ ବିବାହ ସିଏଚ୍‌ ରବୀନ୍ଦ୍ର ପାତ୍ରଙ୍କ ସହିତ ହୋଇଥିଲା। ଦୁହେଁ କଟକ ମଧୁପାଟଣା ଥାନା ଅଧୀନ ନୂଆପଡ଼ା ଛକରେ ରହୁଥିଲେ। ହଠାତ୍‌ ନିଆଁ ଲାଗି ମିତା ପୋଡ଼ିଗଲେ ବୋଲି ରବୀନ୍ଦ୍ର ଶ୍ୱଶୁର ଘର ଲୋକଙ୍କୁ ଖବର ଦେଇଥିଲେ। ଭାଇ ବାଳକୃଷ୍ଣ ପାତ୍ର ଏହି ଖବର ପାଇ କଟକରେ ପହଞ୍ଚିବାବେଳେ ଦେଖିବାକୁ ପାଇଥିଲେ ଭଉଣୀଙ୍କ ଦେହ ସାରା ବ୍ୟାଣ୍ଡେଜ ହୋଇଛି। କିଛି ସମୟ ପରେ ମିତାଙ୍କ ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ଭଉଣୀକୁ ହତ୍ୟା କରାଯାଇଛି ବୋଲି ବାଳକୃଷ୍ଣ ମଧୁପାଟଣା ଥାନାରେ ଏତଲା ଦେଇଥିଲେ। କିନ୍ତୁ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ବସି ପଡ଼ିଛି ଏବଂ ଜାଣିଶୁଣି ହତ୍ୟାକାରୀଙ୍କୁ ଗିରଫ କରୁନାହିଁ ବୋଲି ବାଳକୃଷ୍ଣ ଅଭିଯୋଗ କରିଛନ୍ତି। ଭଉଣୀ ମୃତ୍ୟୁର ରହସ୍ୟ ଖୋଜିବାକୁ ଡିସିପିଙ୍କଠାରୁ ଆରମ୍ଭ କରି ପୁଲିସ କମିସନର, ଡିଜିପି ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବାଳକୃଷ୍ଣ ଗୁହାରି କରିଛନ୍ତି। କିନ୍ତୁ ସେ କେଉଁଠୁ ବି ନ୍ୟାୟ ପାଇ ନାହାନ୍ତି। ସବୁଆଡ଼ୁ ନିରାଶ ହେବା ପରେ ବାଳକୃଷ୍ଣ ଦୁଇ ଦିନ ହେଲା ମହିଳା କମିସନଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ମହିଳା କମିସନ ମଧ୍ୟ ତାଙ୍କ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କଟକ ଡିସିପିଙ୍କୁ ନିର୍ଦେଶ ଦେଇଛନ୍ତି।

ଚୋର-ପୁଲିସ ଧସ୍ତାଧସ୍ତି, ଏସ୍‌ଆଇଙ୍କ ନାକ ଫାଟିଲା
ଭୁବନେଶ୍ୱର:ଏକ ଚୋରି ଗ୍ୟାଙ୍ଗ୍‌ର ଜଣେ ସଦସ୍ୟଙ୍କୁ ଧରିବାକୁ ଯାଇଥିବାବେଳେ ସହିଦନଗର ପୁଲିସ ଆକ୍ରମଣର ଶିକାର ହୋଇଛି। ଚୋର ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇ ଜଣେ ଏସ୍‌ଆଇଙ୍କ ନାକ ଫାଟିଛି। ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ।
ଶୁକ୍ରବାର ରାତିରେ ପୁଲିସର ଏକ ଟିମ୍‌ ଝାରପଡ଼ା ଅଞ୍ଚଳକୁ ଯାଇ ଜଣେ ସନ୍ଦିଗ୍ଧ ଯୁବକଙ୍କ ଘରେ ପଶିଥିଲା। ତେବେ ପୁଲିସ ସାଦା ପୋଷାକରେ ଥିବାରୁ ସନ୍ଦିଗ୍ଧ ଯୁବକ ଓ ତାଙ୍କ ପରିବାର ଲୋକ ଚିହ୍ନି ପାରି ନ ଥିଲେ। ପୁଲିସ ଯୁବକଙ୍କୁ ଧରିବାକୁ ଉଦ୍ୟମ କରିବାବେଳେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଆଉ ଯୁବକଙ୍କ ପରିବାର ଲୋକଙ୍କ ମାଡ଼ରେ ଏସ୍‌ଆଇଙ୍କ ନାକ ଫାଟି ଯାଇଥିଲା। ତେବେ ଏ ନେଇ ସହିଦନଗର ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ସମ୍ବନ୍ଧିତ ଖବର