ପୁଲିସ୍‌କୁ ନାକେଦମ୍‌ କରୁଥିବା ୪ ଲୁଟେରା ଗିରଫ

ଚନ୍ଦ୍ରଶେଖରପୁର: ବିଳମ୍ବରେ ହେଉପଛେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌କୁ ନାକେଦମ୍‌ କରି ରଖିଥିବା ୪ ଲୁଟେରା ପୁଲିସ୍‌ ହାବୁଡ଼ରେ ପଡ଼ିଛନ୍ତି। ନୀଳାଦ୍ରିବିହାର ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ମେବାଇଲ୍‌ ଫୋନ୍‌ ଲୁଟ୍‌କରି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଉଥିବା ବେଳେ ପାଟ୍ରୋଲିଂ ପୁଲିସ୍‌ ସେମାନଙ୍କୁ କାବୁ କରିଛି। ଗିରଫ ୪ଜଣ ଲୁଟେରା ହେଲେ ସୀତାନାଥ ନଗର ନୀଳାଦ୍ରିବିହାରର ସଂଜୟ ବେହେରା ଓରଫ ରାମ(୨୬), ଅମିୟ ବେହେରା ଓରଫ ଛୋଟୁ(୨୪), ଜନତା ନଗର ସାଲିଆ ସାହିର ପି.ଗୋପିକୃଷ୍ଣ ରାଓ(୨୭) ଏବଂ ପି. ଆଦିତ୍ୟ ରାଓ(୨୧)। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ସୂଚନା ଥାଉକି ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ସହିଦନଗର, ଚନ୍ଦକା ଓ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଏମାନେ ବାରମ୍ବର ମୋବାଇଲ୍‌ ଫୋନ୍‌, ପର୍ସ ଓ ଚେନ୍‌ ଲୁଟ୍‌ କରୁଥିବା ବେଳେ ମାରଣାସ୍ତ୍ର ଦେଖାଇ ଲୋକଙ୍କୁ ଭୟଭୀତ କରୁଥିଲେ। ଏମାନଙ୍କ ନାମରେ ସ୍ଥାନୀୟ ଥାନାରେ ଅଭିଯୋଗ ରହିଛି। ପୁଲିସ୍‌ ଏମାନଙ୍କ ଗତିବିଧିକୁ ଅନୁସରଣ କରୁଥିଲା। ଗତକାଲି ପାଟ୍ରୋଲିଂ ବେଳେ ପିଛାକରି ଗିରଫକରିଥିଲା। ଏମାନେ ସମ୍ପର୍କରେ ଭାଇ ହେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର