ଧରାପଡ଼ିଲା ଆକାଶ ଗ୍ୟାଙ୍ଗ୍‌, ଦଳେଇପୁଟ ପାହାଡ଼ ଆଡ଼ାରୁ ୫ ଗିରଫ

ପିସ୍ତଲ, ୩ ଗୁଳି ଓ ୨ ଖଣ୍ଡା ଜବତ

ଖଣ୍ଡଗିରି: ଦୀର୍ଘ ଦେଢ଼ ମାସ ହେଲା ସ୍ଥାନୀୟ ରଘୁନାଥନଗର ଓ ସରକନ୍ତରାରେ ଆତଙ୍କ ଖେଳାଇ ଆସୁଥିବା ଆକାଶ ଷଡ଼ଙ୍ଗୀ ଗ୍ୟାଙ୍ଗ୍‌କୁ ଶେଷରେ ଖଣ୍ଡଗିରି ଥାନା ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଖୋର୍ଧା ଦଳେଇପୁଟ ପାହାଡ଼ରେ ଲୁଚିଥିବାବେଳେ ଗ୍ୟାଙ୍ଗ୍‌ର ସମସ୍ତ ୫ ସଦସ୍ୟ ପୁଲିସ ଜାଲରେ ପଡ଼ିଯାଇଛନ୍ତି। ସେମାନେ ହେଲେ ସ୍ଥାନୀୟ ସରକନ୍ତରା ଗାଁର ଆକାଶ ଷଡ଼ଙ୍ଗୀ(୧୯), ବାହାଦଲପୁର ଗାଁର ବଳରାମ ରାଉତରାୟ ଓରଫ ବଳିଆ(୧୯), ମୃତ୍ୟୁଞ୍ଜୟ ସେଠୀ ଓରଫ୍ ବଳିଆ(୧୯), ଖୋର୍ଧା ପଲା ଗାଁର ଅନୀଲ ବରାଳ(୨୫) ଓ ଅନ୍ୟ ଜଣେ ପୁରୀ କାକଟପୁରର ନାବାଳକ। ପୁଲିସ ସେମାନଙ୍କଠାରୁ ଏକ ଇଣ୍ଡିକା ଭିଷ୍ଟା କାର୍(ଓଆର୦୫ଏଏନ୍‌-୩୫୪୨), ଗୋଟିଏ ପିସ୍ତଲ, ୩ ରାଉଣ୍ଡ ଗୁଳି ଓ ୨ଟି ଖଣ୍ଡା ଜବତ କରିଛି। ଚନ୍ଦକା, ତମାଣ୍ଡୋ ଓ ଖଣ୍ଡଗିରି ଆଦି ଥାନାରେ ଏକାଧିକା ମାମଲା ଥିବା ଏହି ଗ୍ୟାଙ୍ଗ୍‌ ବାବଦରେ ଅଧିକ ତଦନ୍ତ ପାଇଁ ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।

ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଥିଲା ସଂକ୍ରାନ୍ତି ରାତିକୁ: ଦେଢ଼ମାସ ହେଲା ପୁଲିସକୁ ପାଣି ପିଆଇ ଦେଇଥିବା ଏହି ଗ୍ୟାଙ୍ଗ୍‌କୁ ଠାବ କରିବା ପାଇଁ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ଅପରାଧ ଘଟାଇ ସାରିବା ପରେ ସେମାନେ ଖୋର୍ଧା ଦଳେଇପୁଟ ପାହାଡ଼କୁ ପଳାଉଥିଲେ ଓ ସେଠାରେ ଛପି ରହୁଥିଲେ। ସେମାନଙ୍କ ଠିକଣା ଠାବ କଲାପରେ ବି ପୁଲିସ ଉକ୍ତ ପାହାଡ଼ରୁ ସେମାନଙ୍କୁ ଗିରଫ କରିବା କାଠିକର ପାଠ ଥିଲା। କାରଣ ସବୁବେଳେ ପାହାଡ଼ରେ ଚାଲିଥିବା ମୁଗୁନି ପଥର ଖଣିରେ ଶହ ଶହ ଶ୍ରମିକ କାମ କରୁଥିଲେ। କିନ୍ତୁ ସଂକ୍ରାନ୍ତି ଦିନ ଖଣି ବନ୍ଦ ରହୁଥିବାରୁ ପୁଲିସ ଉକ୍ତ ରାତିରେ ଅପରେସନ୍ କରିବା ପାଇଁ ପ୍ରସ୍ତୁତ ହୋଇଥିଲା। ଯୋଜନା ଅନୁସାରେ ପୁଲିସ ଟିମ୍‌ ଶୁକ୍ରବାର ବିଳମ୍ବିତ ରାତିରେ ପାହାଡ଼ରେ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିଲା। ଆକାଶ ଓ ବଳିଆ ରାଉତରାୟ କାର୍ ଭିତରେ ପିସ୍ତଲ ଓ ଖଣ୍ଡା ରଖି ‌ଶୋଇଥିବାବେଳେ ଅନ୍ୟମାନେ ନିକଟସ୍ଥ ଏକ ଆଜ୍‌ବେଷ୍ଟସ୍‌ ଘରେ ଶୋଇଥିଲେ। ବାପି ଗିରଫ ପରେ ପୁଲିସକୁ ମିଳିଲା ସଫଳତା: ପୂର୍ବରୁ ଏହି ଗ୍ୟାଙ୍ଗ୍‌ର ସୁନୀଲ ପରିଡ଼ା ଓରଫ୍ ସନିଆ(୧୯) ଗିରଫ ହୋଇଥିଲେ ବି ପୁଲିସ ଅନ୍ୟ ସମସ୍ତଙ୍କୁ ଧରିବାରେ ବିଫଳ ହୋଇଥିଲା। ସେମାନଙ୍କୁ ଅର୍ଥ ଓ ଆଶ୍ରୟ ଯୋଗାଉଥିବା ସର୍ଦାର ବାପିକୁ ପୁଲିସ ଠାବ କରି ଗତ ୧୬ ତାରିଖରେ ଗିରଫ କରିଥିଲା। ଏହା ପରେ ଆକାଶ ଗ୍ୟାଙ୍ଗ୍‌ ବାବଦରେ ପୂରା ତଥ୍ୟ ମିଳିଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଆକାଶର ଏହି ଗ୍ୟାଙ୍ଗ୍‌ ପୂର୍ବରୁ ଛିନ୍‌ତାଇ, ଲୁଟତରାଜ, ଆକ୍ରମଣ ଓ ବୋମାମାଡ଼ ଭଳି ଘଟଣାରେ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର