ନକଲି କାଗଜରେ ଋଣ: ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ୱର: ନକଲି କାଗଜପତ୍ର ବଳରେ ଋଣ ଦେବା ମାମଲାରେ ଇଣ୍ଡିଆନ୍‌ ବ୍ୟାଙ୍କ୍‌ ରାଉରକେଲା ଶାଖାର ପୂର୍ବତନ ମ୍ୟାନେଜର୍‌ ତଥା ବର୍ତମାନର ଅହମ୍ମଦାବାଦ୍‌ ମେମ୍‌ନଗର ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଜୋନାଲ ଅଫିସ୍‌ ମୁଖ୍ୟ ପରିଚାଳକ କପିଳେଶ୍ୱର ପ୍ରସାଦ ସିଂହଙ୍କୁ ଭୁବନେଶ୍ୱର କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ସୋମବାର ଗିରଫ କରିଛି। ତାଙ୍କୁ ପାନ୍‌ପୋଷ ଏସ୍‌ଡିଜେଏମ୍‌ଙ୍କ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ଅର୍ଥାତ୍‌ ଅକ୍ଟୋବର ୨୭ ତାରିଖରେ ଋଣଗ୍ରହୀତା ବିହାରର ପ୍ରଣୟ କୁମାର ସିଂହଙ୍କୁ ଇଓଡବ୍ଲୁ ଗିରଫ କରିଥିଲା। ତଦନ୍ତ ବେଳେ ଏହି ତତ୍‌କାଳୀନ ପରିଚାଳକ ଋଣଗ୍ରହୀତାଙ୍କ ସହ ମିଶି ନକଲି କାଗଜପତ୍ର ବଳରେ ଋଣ ଦେଇଥିବା ପ୍ରମାଣ ମିଳିଥିଲା। ତଦନ୍ତ ଚାଲିଥିବାରୁ ଏହି ଷଡ଼ଯନ୍ତ୍ରର ସାମିଲ ଥିବା ଆଉ କେତେଜଣ ଇଓଡବ୍ଲୁ ହାତ ଲାଗିବାକୁ ଯାଉଥିବା ଜଣାପଡ଼ିଛି। ଷ୍ଟେଟ୍‌ ହାଉସିଂ ବୋର୍ଡଠାରୁ ଆସିଥିବା ଲିଜ୍‌ ସମ୍ପତ୍ତି ବନ୍ଧକ ରଖି ଏହି ଋଣ ନିଆଯାଇଥିଲା। ଋଣ ନେବା ବେଳେ ଷ୍ଟେଟ୍‌ ହାଉସିଂ ବୋର୍ଡଠାରୁ ଯେଉଁ ଏନ୍‌ଓସି ଆବଶ୍ୟକ ପଡ଼େ ତାହାକୁ ନକଲ କରି ବ୍ୟାଙ୍କ୍‌ରେ ଦାଖଲ କରାଯାଇଥିଲା। ୨୦୧୪ ମସିହାରେ ଏହି ନକଲି ଏନ୍‌ଓସି ବଳରେ ତତ୍‌କାଳୀନ ଅଭିଯୁକ୍ତ ପରିଚାଳକ କପିଳେଶ୍ୱର ପ୍ରସାଦ ସିଂହ ପ୍ରଣୟଙ୍କୁ ୬୦ ଲକ୍ଷ ଟଙ୍କା ଋଣ ଦେଇଥିଲେ। ହେଲେ ବର୍ଷ ବର୍ଷ ଧରି ଋଣ ପରିଶୋଧ ନ ହେବାରୁ ବନ୍ଧକ ସମ୍ପତ୍ତିକୁ ଜବତ କରିବା ପାଇଁ ବ୍ୟାଙ୍କ କ୍ଷେତ୍ର ପ୍ରସ୍ତୁତ କରୁଥିଲା। ହେଲେ ନକଲି କାଗଜପତ୍ର ବଳରେ ଏହି କାରବାର ହୋଇଥିବାରୁ ବ୍ୟାଙ୍କ୍‌ ଜବତ କରିବାକୁ ସକ୍ଷମ ହୋଇ ନଥିଲା। ଏ ନେଇ ଭୁବନେଶ୍ୱର ଇଣ୍ଡିଆନ୍‌ ବ୍ୟାଙ୍କ୍‌ର ଡିଜିଏମ୍‌ ନରେନ୍ଦ୍ର କୁମାର ମିଶ୍ର ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିି କରି ଇଓଡବ୍ଲୁ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର