ଗାଈ ଚୋରି ଅଭିଯୋଗରେ ଯୁବକ ଗିରଫ

ଖଣ୍ଡଗିରି: ବୁଧବାର ଚନ୍ଦକା ଥାନା ପୁଲିସ ଗାଈ ଚୋରି ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଚନ୍ଦକା ଗାଁର ଲକ୍ଷ୍ମୀଧର ଦାସ(୪୭)। ପୁଲିସ ତା ନିକଟରୁ ୯ଟି ଗାଈ ଜବତ କରିଛି। ଗାଈଗୁଡ଼ିକ ସ୍ଥାନୀୟ ଦାରୁଠେଙ୍ଗ ଗାଁର ହିନ ବେହେରାଙ୍କର ବୋଲି ଜଣାପଡ଼ିଛି। ପୁଲିସ ସୂଚନାନୁସାରେ ହିନଙ୍କ ଗାଈଗୁଡ଼ିକ ଗତ ୨ ଦିନ ତଳେ ଲକ୍ଷ୍ମୀଧରଙ୍କ ଫସଲ କିଆରିରେ ପଶି ବ୍ୟାପକ କ୍ଷତି କରିଥିଲେ। ତେଣୁ ଲକ୍ଷ୍ମୀଧର ଗାଈମାନଙ୍କୁ ଧରି ନିଜ ଗୁହାଳରେ ବାନ୍ଧି ରଖିଦେଲେ। ଖବର ପାଇ ହିନ ଲକ୍ଷ୍ମୀଧରଙ୍କ ନିକଟରେ ପହଞ୍ଚି ଗାଈଗୁଡ଼ିକୁ ଫେରାଇ ଦେବାକୁ ଅନୁରୋଧ କରିଥିଲେ। ଏପରିକି ଫସଲ ବାବଦରେ କ୍ଷତିପୂରଣ ଦେବେ ବୋଲି ସେ କହିଥିଲେ। କିନ୍ତୁ ରାଗରେ ଲକ୍ଷ୍ମୀଧର ହିନଙ୍କୁ ଗାଳିମନ୍ଦ କରିବା ସହ ଗାଈ ଫେରାଇ ନଥିଲେ। ତେଣୁ ବାଧ୍ୟ ହୋଇ ହିନ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। ପର ଗାଈଗୁଡ଼ିକୁ ନିଜ ଗୁହାଳେ ବାନ୍ଧି ରଖିବା ଓ ଜଣେ ମହିଳାଙ୍କୁ ଗାଳିମନ୍ଦ କରିବା ଅଭିଯୋଗରେ ପୁଲିସ ଲକ୍ଷ୍ମୀଧରଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର