ଦୁର୍ଦାନ୍ତ ମଦ ମାଫିଆ ହାଡ଼ିଆ ଗିରଫ

ସହଯୋଗୀ ନବକିଶୋର ବି ଧରାପଡ଼ିଲା

ଭୁବନେଶ୍ୱର: ଦୀର୍ଘ ଦିନ ଧରି ରାଜଧାନୀରେ ଚୋରା ବିଦେଶୀ ମଦ କାରବାର କରୁଥିବା ଦୁର୍ଦାନ୍ତ ମଦ ମାଫିଆ ହାଡ଼ିଆ ରାଉତରାୟକୁ ଗିରଫ କରିଛି କମିସନରେଟ୍‌ ପୁଲିସର କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି)। ହାଡ଼ିଆର ଘର ରସୁଲଗଡ଼ ଅଞ୍ଚଳରେ ହୋଇଥିବାବେଳେ ତା’ର ଜଣେ ସହଯୋଗୀ ନୟାଗଡ଼ ଜିଲ୍ଲା ଫତେଗଡ଼ର ନବକିଶୋର ନାୟକ ମଧ୍ୟ ଧରାପଡ଼ିଛି। ଦୁହେଁ ପଳାସୁଣୀ ମଦ ଦୋକାନ ନିକଟରେ ଆଉ ଏକ ଚୋରା ବିଦେଶୀ ମଦ କାଉଣ୍ଟର ଖୋଲି ମଦ ବିକ୍ରି କରୁଥିଲେ। ପୁଲିସ ସେହି ଘରୁ ପାଖାପାଖି ୨ ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ ବିଦେଶୀ ମଦ, ଖଣ୍ଡା, କଟୁରି ଓ କୁରାଢ଼ି ଆଦି ମାରଣାସ୍ତ୍ର ଜବତ କରିଛି। ଆଜି ମଞ୍ଚେଶ୍ୱର ଥାନା ପୁଲିସ ଦୁହିଁଙ୍କୁ କୋର୍ଟ ଚାଲାଣ କରିବା ପରେ ଜାମିନ ନାମଞ୍ଜୁର ହୋଇଯିବାରୁ ଉଭୟଙ୍କୁ ଝାରପଡ଼ା ଜେଲ ହାଜତକୁ ପଠାଇ ଦିଆଯାଇଛି।

ହାଡ଼ିଆ ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ହେବ ପଳାସୁଣୀରେ ଚୋରା ବିଦେଶୀ ମଦ କାରବାର କରି ଆସୁଥିଲା। ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ରାତି ସାଢ଼େ ୧୦ଟାରେ ବନ୍ଦ ହେବା ପରେ ହାଡ଼ିଆର କାଉଣ୍ଟର ଖୋଲିଥାଏ। ଆଉ ରାତିତମାମ ହାଡ଼ିଆ ମଦ ବିକ୍ରି କରିଥାଏ। ଏପରିକି ସକାଳ ୧୦ଟା ଯାଏ ମଧ୍ୟ ତାର ମଦ ଦୋକାନ ଖୋଲା ରହିଥାଏ। ଏଥିରେ ହାଡ଼ିଆକୁ ତା’ର ପତ୍ନୀ, ଝିଅ ଓ ନବକିଶୋର ସହଯୋଗ କରୁଥିଲେ। ତେଣୁ ପୁଲିସ ହାଡ଼ିଆର ପତ୍ନୀ ଓ ଝିଅ ନାଁରେ ମଧ୍ୟ ମାମଲା ରୁଜୁ କରିଛି। ବିଭିନ୍ନ ସମୟରେ ହାଡ଼ିଆ ଦୋକାନରେ ଚଢ଼ଉ କରିବାକୁ ଯାଇଥିବା ପୁଲିସ କର୍ମଚାରୀଙ୍କୁ ମସେ ପ୍ରାଣାନ୍ତକ ଆକ୍ରମଣ କରିଛି। ଏହା ଛଡ଼ା ହାଡ଼ିଆ ସାମ୍ବାଦିକ, ଲେଖକ, ବିଶ୍ୱବିଦ୍ୟାଳୟ ଛାତ୍ରଙ୍କୁ ମଧ୍ୟ କଟୁରିରେ ପ୍ରାଣାନ୍ତକ ଆକ୍ରମଣ କରିଛି। ଯେଉଁ କାରଣରୁ ମଞ୍ଚେଶ୍ୱର ଥାନା ପୁଲିସ ହାଡ଼ିଆର ଚୋରା ମଦ କାରବାର ସଂପର୍କରେ ସବୁ ଜାଣିଥିଲେ ମଧ୍ୟ ଚଢ଼ଉ କରିବାକୁ ସାହସ ଜୁଟାଇ ପାରୁ ନ ଥିଲା। ଏପରିକି କୁଇକ୍‌ ଆକ୍ସନ ଟିମ୍‌ର ପୂର୍ବତନ ମୁଖ୍ୟ ଏସ୍‌ଆଇ ଆକାଶ ରଣା ମଧ୍ୟ ହାଡ଼ିଆ ଦୋକାନରେ ଚଢ଼ଉ କରି ପାରି ନ ଥିଲେ। ଅବକାରୀ ବିଭାଗର ଅଧିକାରୀମାନେ ତ ସବୁ ଦେଖି ନ ଦେଖିଲା ପରି ରହୁଥିଲେ। ରସୁଲଗଡ଼ ଅଞ୍ଚଳର ଜଣେ ପ୍ରଭାବଶାଳୀ ଯୁବକ, ରାଜନେତା, କିଛି ସାମ୍ବାଦିକ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ମଧ୍ୟ ହାଡ଼ିଆର ଏଭଳି ଚୋରା କାରବାର ପଛରେ ହାତ ଥିଲା ବୋଲି ଅଭିଯୋଗ ହେଉଥିଲା।

ହାଡ଼ିଆ ଥିଲା କୁଖ୍ୟାତ ଲୁଟେରା

୧୦ ବର୍ଷ ତଳେ ମଞ୍ଚେଶ୍ୱର ଥାନା ଅଧୀନ ରସୁଲଗଡ଼ ଅଞ୍ଚଳରେ ହାଡିଆ ଆତଙ୍କ ସୃଷ୍ଟି କରୁଥିଲା। ସେ ଥିଲା ଜଣେ କୁଖ୍ୟାତ ଲୁଟେରା। ସେ ରାଜଧାନୀର ରାଜପଥ ବିଶେଷ କରି ପଳାସୁଣୀ ପୋଲ ଉପରେ ଯାତ୍ରୀଙ୍କୁ କଟୁରିରେ ହାଣି ଲୁଟପାଟ କରୁଥିଲା। ତାର ଏଭଳି କାଣ୍ଡ ଭୁବନେଶ୍ୱର ପୁଲିସକୁ ଅସ୍ତବ୍ୟସ୍ତ କରି ପକାଇଥିଲା। ବାରମ୍ବାର ଗିରଫ ହେବା ସତ୍ତ୍ୱେ ସେ ଲୁଟପାଟ୍‌ ଛାଡ଼ି ନ ଥିଲା। ତେଣୁ ସେତେବେଳର ମଞ୍ଚେଶ୍ୱର ଥାନା ଇନ୍ସପେକ୍ଟର ହାଡ଼ିଆକୁ ବୁଝାସୁଝା କରି ଅପରାଧ ଦୁନିଆ ଛାଡ଼ିବାକୁ କହିଥିଲେ। ଏହା ବଦଳରେ ସେ ହାଡ଼ିଆକୁ ଚୋରା ମଦ ବେପାର କରି ପେଟ ପୋଷିବାକୁ କୁଆଡ଼େ ଏକ ପ୍ରକାର ପ୍ରୋତ୍ସାହନ ଦେଇଥିଲେ। ସେହି ଦିନଠାରୁ ହାଡ଼ିଆ ମଦ ବିକ୍ରି କରିବା ଆରମ୍ଭ କରିଥିଲା ଏବଂ ସେଦିନର ଲୁଟେରା ହାଡ଼ିଆ ଅଳ୍ପ କେତେ ବର୍ଷ ମଧ୍ୟରେ କୋଟିପତି ମଦ ମାଫିଆ ପାଲଟି ଯାଇଥିଲା।

ହାଡ଼ିଆ ଏତେ ମଦ ଆଣୁଥିଲା କେଉଁଠୁ?

ହାଡ଼ିଆ ନିକଟରୁ ୨ ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ ବିଦେଶୀ ବ୍ରାଣ୍ଡ୍‌ର ମଦ ଜବତ ହେବା ପରେ ପୁଲିସ ମଧ୍ୟ ବିସ୍ମିତ ହୋଇଛି। ସେ କେଉଁଠୁ ଏତେ ପରିମାଣର ବିଦେଶୀ ମଦ ଆଣୁଥିଲା ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ। ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ଗୋଟିଏ ଦିନରେ ଏତେ ପରିମାଣର ମଦ ବିକ୍ରି ହେଉ ନ ଥିବାବେଳେ ହାଡ଼ିଆ କାହିଁକି ଏତେ ପରିମାଣର ମଦ ଜମା ରଖିଥିଲା ତାହା ଏବେ ସମସ୍ତଙ୍କୁ ଚକିତ କରିଛି। ପୁଲିସ ଜାଣିବାକୁ ପାଇଛି ଲକ୍ଷ୍ମୀସାଗର ଥାନା ଅଧୀନରେ ଥିବା ଏକ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ହାଡ଼ିଆ ମଦ ଆଣି ଚଢ଼ା ଦରରେ ବିକୁଥିଲା। ତେଣୁ ସଂପୃକ୍ତ ମଦ ଦୋକାନୀକୁ ପୁଲିସ ପଚରାଉଚରା କରିବ ବୋଲି ସୂଚନା ମିଳିଛି।

ଏବେ ଟାର୍ଗେଟରେ ସାନ ଭାଇ ଚିତ୍ତ

ବଡ଼ ଭାଇ ହାଡ଼ିଆ ଚୋରା ବିଦେଶୀ ମଦ ମାଫିଆ ହୋଇଥିବାବେଳେ ସାନଭାଇ ଚିତ୍ତ ରଂଜନ ରାଉତରାୟ ହେଉଛି ଜଣେ ବ୍ରାଉନସୁଗାର ବେପାରୀ। ପଳାସୁଣୀ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଚିତ୍ତର ଏକାଧିକ ଆଡ଼ା ରହିଛି। ଯେଉଁଠି ଏବେ ଲକ୍ଷ ଲକ୍ଷ ଟଙ୍କା ବ୍ରାଉନସୁଗାର କାରବାର ହେଉଛି। ତେଣୁ ଚିତ୍ତ କମିସନରେଟ୍‌ ପୁଲିସର ମୋଷ୍ଟ ଓ୍ଵାଣ୍ଟେଡ୍‌ ତାଲିକାରେ ରହିଛି। ସେ ଫେରାର ଥାଇ ତା କାରବାର ବେଶ ଆରମରେ ଚଳାଇଛି। ପୁଲିସ ତାକୁ ଗିରଫ କରିବାକୁ ଜାଲ ବିଛାଇଛି। ଖୁବ୍‌ ଶୀଘ୍ର ଧରା ପଡ଼ିବ ବୋଲି ପୁଲିସ କମିସନର ଖୁରାନିଆ କହିଛନ୍ତି।

ବେଧଡ଼କ ଚାଲୁଥିଲା ହାଡ଼ିଆର ବେପାର

ପଳାସୁଣୀ ମଦ ଦୋକାନ ଗଳିର ବାମ ପାର୍ଶ୍ୱରେ ରହିଛି ହାଡ଼ିଆର ମଦ କାଉଣ୍ଟର। ଦେଖିବାକୁ ଅବିକଳ ବିଦେଶୀ ମଦ ଦୋକାନ ଭଳି। ଦୋକାନର ଲୁହା କବାଟ ସବୁବେଳେ ଭିତର ପଟୁ ବନ୍ଦ। କବାଟରେ ଗୋଟିଏ ଛୋଟିଆ ଚାରି କୋଣିଆ (ଫିଲ୍ମ ହଲ ଟିକେଟ୍‌ କାଉଣ୍ଟର ପରି) ଝରକା ଅଛି। ଜଣେ ବିଳମ୍ବିତ ରାତରେ ଯେଉଁ ବ୍ରାଣ୍ଡର ବିଦେଶୀ ମଦ, ଚିଲ୍ଡ ବିଅର ଚାହୁଁଥିଲା ଏଠାରୁ କିଣି ପାରୁଥିଲା। ଦର କିନ୍ତୁ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନଠାରୁ ଦେଢ଼ଗୁଣା। ସେହି ଝରକା ବାଟେ ହାଡ଼ିଆ ଟଙ୍କା ନିଏ ଆଉ ମଦ ବଢ଼ାଇ ଥାଏ। ହାଡ଼ିଆ ବିରୋଧରେ ବାରମ୍ବାର ଅଭିଯୋଗ ଆସିବା ପରେ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ହାଡ଼ିଆକୁ ଗିରଫ କରିବାକୁ ସପ୍ତାହକ ତଳେ ନିର୍ଦେଶ ଦେଇଥିଲେ। କୁଇକ୍‌ ଆକ୍ସନ ଟିମ୍‌କୁ ଏହି ଦାୟିତ୍ୱ ଦିଆଯାଇଥିଲା। ଗତ ତିନି ଦିନ ହେବ କ୍ୟୁଏଟି ହାଡିଆ କାଉଣ୍ଟର ଉପରେ ନଜର ରଖିବା ପରେ ଶନିବାର ରାତିରେ ଚଢ଼ଉ କରିଥିଲା।

କେମିତି ଥିଲା କ୍ୟୁଏଟିର ଅପରେସନ୍‌

ପୂର୍ବରୁ ବିଭିନ୍ନ ସମୟରେ ହାଡ଼ିଆ କାଉଣ୍ଟର୍‌ ଉପରେ ଯେଉଁ ପୁଲିସ ଚଢ଼ଉ କରିବାକୁ ଯାଇଛି ସେ ହଣା ଖାଇ ଫେରିଛି। ତେଣୁ ଗତକାଲି ଚଢ଼ଉବେଳେ ସଂପୂର୍ଣ ସତର୍କତା ଅବଲମ୍ବନ କରିଥିଲା କ୍ୟୁଏଟି। କ୍ୟୁଏଟିର ମୁଖ୍ୟ ଏସ୍‌ଆଇ ଦୀପକ ଲେଙ୍କା ହାଡ଼ିଆକୁ ସିଧା ବିଅର ଗୋଟିଏ ପେଟି ମାଗିଥିଲେ। କିନ୍ତୁ ଚତୁର ହାଡ଼ିଆ ଗୋଟିଏ ଗୋଟିଏ ବିଅର ଝରକା ବାଟେ ବଢ଼ାଇବା ଆରମ୍ଭ କରିଥିଲା। ଯେହେତୁ କବାଟ ଭିତର ପଟୁ ବନ୍ଦ ଥିଲା, ଏଭଳି ଗୋଟାଏ ଗୋଟାଏ ବିଅର ଦେଲେ ଭିତରକୁ ପଶିବା ଅସମ୍ଭବ ଥିଲା। ଏହି ସମୟରେ ବୁଦ୍ଧି ଖଟାଇ ଏସ୍‌ଆଇ ଲେଙ୍କା କହିଥିଲେ, ଆଉ ଦୁଇ ପେଟି ବିଅର ଦିଅ, କହି ୪ ହଜାର ଟଙ୍କା ବଢ଼ାଇ ଦେଇଥିଲେ। କହିଥିଲେ, କବାଟ ଖୋଲି ଜଲଦି ଜଲଦି ବିଅର ପେଟି ବଢ଼ାଇ ଦିଅ ନଚେତ ପୁଲିସ ଆସିଯିବ। ୪ ହଜାର ଟଙ୍କାର ବେପାର ଲୋଭରେ ହାଡିଆ କବାଟ ଖୋଲି ବିଅର ପେଟି ବଢ଼ାଇବା କ୍ଷଣି ବାହାରେ ଲୁଚି ଥିଲା କୁଇକ୍‌ ଆକ୍ସନ ଟିମ୍‌ର ୧୦ଜଣ ପୁଲିସ ବନ୍ଧୁକ ଦେଖାଇ ଭିତରକୁ ପଶି ଯାଇଥିଲେ। ପୁଲିସ ପଶିବା କ୍ଷଣି ହାଡ଼ିଆ ରକ୍ତମୁଖା ହୋଇ ଉଠିଥିଲା। କଟୁରି ଧରି ଏସ୍‌ଆଇ ଲେଙ୍କାକୁ ହାଣିବାକୁ ଗୋଡ଼ାଇ ଆସିଥିଲା। କିନ୍ତୁ ପୁଲିସ ତାକୁ ମାଡ଼ି ବସିଥିଲା। ଆଉ ତାର ସହଯୋଗୀ ନବକିଶୋରକୁ ମଧ୍ୟ ପୁଲିସ ଧରିବାରେ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର