ଟ୍ରକ ଚାଳକଙ୍କୁ ଏସିଡ୍‌ ମାଡ଼, ପ୍ରଫେସର ଅଟକ

ଭୁବନେଶ୍ୱର: ଟ୍ରକ ଚାଳକଙ୍କୁ ଏସିଡ୍‌ମାଡ଼ କରିବା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ପ୍ରଫେସର୍‌ଙ୍କୁ ଅଟକ ରଖିଛି। ତାଙ୍କ ନାଁ କୌଶିକ ମହାନ୍ତି। ପୁଲିସ ସୂଚନା ଅନୁଯାୟୀ ଶନିବାର ଅପରାହ୍‌ଣ ପ୍ରାୟ ସାଢ଼େ ୩ଟା ସମୟରେ ଦଣ୍ଡଧର ବେହେରା ଟ୍ରକରେ ଜିନିଷ ନେଇ ସତ୍ୟବିହାର ଯାଉଥିଲେ। କେନାଲ୍‌ ରୋଡ୍‌ରେ ଯାଉଥିବା ବେଳେ ମାଟି ଦବିଯିବାରୁ ଟ୍ରକ୍‌ଟି ମଝି ରାସ୍ତାରେ ଅଟକି ଯାଇଥିଲା। ଏହି ସମୟରେ ଘରକୁ ଫେରୁଥିବା ପ୍ରଫେସର କୌଶିକ ଆଗକୁ ଯାଇ ନପାରି ବିରକ୍ତ ହୋଇ ଦଣ୍ଡଧରକୁ ଗାଳିଗୁଲଜ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କୌଶିକ ରାଗିଯାଇ ଗାଡ଼ିରେ ଥିବା ଏସିଡ୍‌ ସ୍ପ୍ରେକୁ ଦଣ୍ଡଧର ଓ ତାଙ୍କ ହେଲ୍‌ପର୍‌ଙ୍କ ଆଖିକୁ ସ୍ପ୍ରେ କରଥିଲେ। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ଉଭୟ ଚିତ୍କାର କରି ଲୋକଙ୍କୁ ଡାକିଥିଲେ। ପାଟିଶୁଣି ଆଖପାଖରେ ଥିବା ଲୋକମାନେ ଉଭୟଙ୍କୁ ଉଦ୍ଧାର କରି ପୁଲିସକୁ ଜଣାଇଥିଲେ। ପୁଲିସ ଉଭୟଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ ପଠାଇଥିଲା। ଉଭୟ ଥାନାରେ ଅଭିଯୋଗ ପରେ ପୁଲିସ କୌଶିକଙ୍କୁ ଥାନାକୁ ଅଣି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର