ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ

ବିବାହ କଥା କହିବାରୁ ମାରିଦେବାକୁ ଧମକ

ଭୁବନେଶ୍ୱର: ବିବାହର ପ୍ରଲୋଭନ ଦେଖାଇଲେ। ବାରମ୍ବାର ତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସଂପର୍କ ରଖିଲେ। ହେଲେ ଏବେ ବିବାହ ପାଇଁ କହିବାରୁ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଲେ। ଏହିଭଳି ଏକ ଅଭିଯୋଗରେ ମହିଳା ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତା ନାଁ ଜିତେନ୍ଦ୍ର କୁମାର ଦାସ। ଘର ଭଦ୍ରକ ଶାନ୍ତିନଗର ଅଞ୍ଚଳରେ। ଗତ କିଛି ଦିନ ପୂର୍ବରୁ ଜିତେନ୍ଦ୍ର ଜଗତସିଂପୁରର ଜଣେ ଯୁବତୀଙ୍କୁ ତାଙ୍କ ପ୍ରେମ ଜାଲରେ ପକାଇ ତାଙ୍କ ସହ ବାରମ୍ବାର ଶାରୀରିକ ସଂପର୍କ ରଖିଥିଲେ। କିନ୍ତୁ ଯୁବତୀ ଜଣକ ବିବାହ କରିବାକୁ କହିବାରୁ ଜିତେନ୍ଦ୍ର ଦିନ ଗଡ଼ାଇ ଚାଲିଥିଲେ। ଶୁକ୍ରବାର ଯୁବତୀ ଜଣକ ବିବାହ ପାଇଁ ଜିଦ୍‌ କରିବାରୁ ଜିତେନ୍ଦ୍ର ତାଙ୍କୁ ମାଡ଼ ମାରିଥିଲେ। ଏ ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ବି ଧମକ ଦେଲେ। ଏନେଇ ଯୁବତୀ ଜଣକ ମହିଳା ଥାନାରେ ଅଭିଯୋଗ କରିବାରୁ ପୁଲିସି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଜିତେନ୍ଦ୍ରକୁ ଥାନାରେ ଅଟକ ରଖିଥିଲା। ଆଜି ଉଭୟଙ୍କ ଡାକ୍ତରୀ ପରୀକ୍ଷା ପରେ ପୁଲିସ ଜିତେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର