ଲକ୍ଷାଧିକ ଟଙ୍କାର ଅଷ୍ଟଧାତୁ ମୂର୍ତ୍ତି ଜବତ, ୨ ଗିରଫ

ଭୁବନେଶ୍ୱର: ଚନ୍ଦକା ଥାନା ଅଂଚଳରୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର କରିଥିବା ଶନିବାର ଜଣାପଡ଼ିଛି। ଏହି ଅଂଚଳରେ ମୂର୍ତ୍ତି ଚୋର ରାକେଟ ବୃଦ୍ଧି ପାଇବା ନେଇ କ୍ରାଇମ୍‌ବ୍ରାଞ୍ଚକୁ ସୂଚନା ମିଳିଥିଲା। ଏହି ଆଧାରରେ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ କାମ କରୁଥିଲେ। କାଟେଣୀ ଗାଁରେ ଆଜି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ର କର୍ମଚାରୀମାନେ ଅଚାନକ ଚଢ଼ାଉ କରି ଏକ ଅଷ୍ଟଧାତୁ ମୂର୍ତ୍ତି ଜବତ କରିଛି। ଏହି ଘଟଣାରେ ସଂପୃକ୍ତ ଆଇଫ ମିର୍ଜାଙ୍କ ପୁଅ ୟୁସୁଫ ମିର୍ଜା (୩୨) ଓ ଜମିର ଖାନଙ୍‌ ପୁଅ ଅମିର ଖାନ୍‌ (୨୯) ଗିରଫ ହୋଇଛନ୍ତି। ମୂର୍ତ୍ତିର ଓଜନ ୫ କିଲୋ ହେବ, ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ବୋଲି ଏସ୍‌ଟିଏଫ କହିଛି।

ସୂଚନାଯୋଗ୍ୟ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଗତ ଫେବ୍ରୁଆରି ୧୩ରେ ଖଣ୍ଡଗିରି ଅଂଚଳରେ ଅତର୍କିତ ଭାବରେ ଚଢ଼ାଉ କରି ୨ଟି ଅଷ୍ଟଧାତୁ ମୂର୍ତ୍ତି ଜବତ କରିଥିଲା। ଏହି ଘଟଣାରେ ଯଦୁପୁର ଗାଁର ଅଭିଯୁକ୍ତ ସୟଦ ଜିଲନୁର ଗିରଫ ହୋଇଥିଲେ। ସେଦିନ ଉଦ୍ଧାର ହୋଇଥିବା ଗୋଟିଏ ମୂର୍ତ୍ତିର ଓଜନ ୧୮.୪୪ କେଜି ହୋଇଥିବା ବେଳେ ଅନ୍ୟଟିର ଓଜନ ୧୨.୬ କିଜି ଥିଲା। କୋଟି କୋଟି ଟଙ୍କାରେ ବିକ୍ରି କରିବା ଉଦ୍ଦେଶ୍ୟରେ ଏହି ମୂଲ୍ୟବାନ ମୂର୍ତ୍ତି ଦ୍ୱୟକୁ ମନ୍ଦିରରୁ ଚୋରୀ କରାଯାଇଥିଲା। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ କହିଥିଲା, ମୂର୍ତ୍ତି ଦ୍ୱୟର ବଜାର ମୂଲ୍ୟ ଅଢ଼େଇ କୋଟି ଟଙ୍କା ହେବ।

କ୍ରାଇମ୍‌ବ୍ରାଞ୍ଚ ଜିଲନୁରକୁ ଫେବ୍ରୁଆରି ୧୬ରେ ୩ ଦିନିଆ ରିମାଣ୍ଡରେ ଆଣିଥିଲା। ପଚରାଉଚରା ବେଳେ ୟୁସୁଫ ଓ ଅମିରଙ୍କ ବିଷୟରେ ଜାଣିବାକୁ ପାଇଥିଲା ଏବଂ ଯୋଜନା ମୁତାବକ ଶୁକ୍ରବାର ରାତି ଚଢ଼ାଉ କରି ଉଭୟଙ୍କୁ ଗିରଫ କରିବା ସହିତ ଏକ ମୂର୍ତ୍ତି ଜବତ କରିଥିଲା। ଏହି ୨ ଚୋର ଗାଁ-ଗହଳିରୁ ମୂର୍ତ୍ତି ଚୋରୀ କରୁଥିଲେ ଏବଂ ଜିଲନୁରଙ୍କୁ ଯୋଗାଉଥିଲେ। ଜିଲନୁର ନେପାଳ ସମେତ ବିଦେଶରେ ବ୍ୟବସାୟୀଙ୍କ ସହିତ ଯୋଗାଯୋଗ କରି ମୂଲ୍ୟବାନ ମୂର୍ତ୍ତି ଗୁଡ଼ିକ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲା।

ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ଏସଟିଏଫକୁ ଆହୁରି କିଛି ଅଭିଯୁକ୍ତଙ୍କର ଠିକଣା ମିଳିଛି। ସେମାନେ ମଧ୍ୟ ଖୁବ ଶୀଘ୍ର ଗିରଫ ହେବେ ବୋଲି ଏସ୍‌ଟିଫ କହିଛି।

ସମ୍ବନ୍ଧିତ ଖବର