ହାଇଦ୍ରାବାଦ: ଠକେଇ ଓ ଯୌନ ନିର୍ଯାତନା ଅଭିଯୋଗରେ ଟିଭି ଚାନେଲ ଜ୍ୟୋତିଷ ଗିରଫ

ହାଇଦ୍ରାବାଦ: ସେ ମାତ୍ର ୧୦ ମ ଶ୍ରେଣୀ ଯାଏ ପଢ଼ିଥିଲେ। ମାତ୍ର ଜ୍ୟୋତିଷ ଭାବେ ନିଜକୁ ବେଶ୍‌ ଭଲଭାବେ ପ୍ରତିପାଦିତ କରିବା ପାଇଁ ଯୋଜନା କରିଥିଲେ। ଯୋଜନାନୁସାରେ ସେ ବିଭିନ୍ନ ଟିଭି ଚାନେଲରେ ଜ୍ୟୋତିଷଭାବେ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଉପାୟ ବତାଉଥିଲେ। ତା ପରେ ଟାର୍ଗେଟ କରୁଥିଲେ ଧନୀକ ଶ୍ରେଣୀ ମହିଳାଙ୍କୁ । ଏହି ଧନୀକ ମହିଳାଙ୍କ ଠାରୁ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ମୋଟା ଅଙ୍କର ଟଙ୍କା ସହିତ ସୁନାରୂପା ଅଳଙ୍କାର ମଧ୍ୟ ହାତଉଥିଲେ ଏହି ଜ୍ୟୋତିଷ। କେବଳ ସେତିକି ନୁହେଁ, ଏହି ଜ୍ୟୋତିଷଜଣକ ଏହି ଧନୀମହିଳାମାନଙ୍କୁ ଯୌନ ନିର୍ଯାତନା ମଧ୍ୟ ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ଏପରି ଅଭିଯୋଗ ପାଇବା ପରେ ହାଇଦ୍ରାବାଦ ମାଲକାଜଗିରି ସ୍ପେଶାଲ ଅପରେସନ ଟିମ ଅଭିଯୁକ୍ତ ଏହି ଭଣ୍ଡ ଜ୍ୟୋତିଷ ନରସିଂହା ଚାରିଲୁଙ୍କୁ ମୀରପେଟ୍‌୍‌ଠାରୁ ଗିରଫ କରିଛି। ତାଙ୍କ ଠାରୁ ପୁଲିସ ଏକ ନକଲି ବନ୍ଧୁକ, ୨ଟି ଲାପ୍‌ଟପ୍‌, କେତେକ ଅପତ୍ତିଜନକ ଫଟୋ, ପୂଜା ସାମଗ୍ରୀ, ସୁନାରୁପା ଅଳଙ୍କାର, ନଗଦ ୫ ଲକ୍ଷ ଟଙ୍କା, ଗୋଟିଏ ଇନୋଭା ଗାଡ଼ି ସହିତ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ନରସିଂହା ଟିଭି ଚାନେଲ କାର୍ଯ୍ୟକ୍ରମରେ ରେ ନିୟମିତ ଭାବେ ଯୋଗ ଦିଅନ୍ତି। ଏହି ଚାନେଲମାଧ୍ୟମରେ ସେ ଲୋକମାନଙ୍କ ସ୍ୱାସ୍ଥ୍ୟ, ଆର୍ଥିକସ୍ଥିତି, ଶିକ୍ଷା ଓ ବୈବାହିକ ଜୀବନର ସମସ୍ୟା ସମାଧାନ ଉପାୟ ବତାଇବା ସହିତ ଧୀରେ ଧୀରେ ଖୁବ୍‌ ଲୋକପ୍ରୀୟ ହୋଇ ଉଠିଥିଲେ। ପରେ ଯେଉଁମାନେ ସେମାନଙ୍କ ସମସ୍ୟା ନେଇ ନରସିଂହାଙ୍କ ପାଖକୁ ଆସୁଥିଲେ ସେ ସେମାନଙ୍କୁ ତାର ମୀରପେଟ୍‌ ସ୍ଥିତ ଭବିଷ୍ୟବାଣୀ କାର୍ଯ୍ୟାଳୟକୁ ଆସିବାକୁ କହୁଥିଲେ। ଯେଉଁ ମହିଳାମାନେ ନରସିଂହା ଦ୍ୱାରା ପ୍ରଭାବିତ ହୋଇ ତା ପାଖରେ ସମର୍ପଣ କରି ଦେଉଥିଲେ, ସେ ସେମାନଙ୍କୁ ଯୌନ ନିର୍ଯାତନା ଦେଉଥିଲେ। ଏପରିକି ସେମାନଙ୍କ ଫଟୋ ମଧ୍ୟ ଉଠାଉଥିଲା। ତେବେ ଏ ପର୍ଯ୍ୟନ୍ତ ନରସିଂହାଙ୍କ ନାମରେ ୫ଟି ମାମଲା ଆସିଛି। ଯେଉଁଥିରେ ମହିଳାମାନେ ଲକ୍ଷ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଛନ୍ତି।

ଏଲବିନଗର ଡିସିପି ଏମ ଭେଙ୍କଟେଶ୍ୱର ରାଓ କହିଛନ୍ତି ଯେ ଜଣେ ମହିଳା ବସନ୍ତାଳିପୁରମ ଥାନାରେ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କ ପାରିବାରିକ ସମସ୍ୟା ନେଇ ଜ୍ୟୋତିଷ ନରସିଂହାଙ୍କ ପାଖକୁ ଯାଇଥିଲେ। ନରସିଂହା କହିଥିଲେ ଯେ ତାଙ୍କ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ରହିଛି। ତୁରନ୍ତ ଏକ ହୋମଯଜ୍ଞ ନ କଲେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିବ। ଏଥିରେ ମହିଳାଜଣକ ବ୍ୟସ୍ତ ହୋଇ ନରସିଂହାଙ୍କୁ ୨ ଲକ୍ଷ ଟଙ୍କା ଓ ୧ କିଲୋଗ୍ରାମା ରୁପା ପ୍ରଦାନ କରିଥିଲେ। ମାତ୍ର ମହିଳାଙ୍କ ସମସ୍ୟା ସେହିପରି ଲାଗି ରହିବାରୁ ସେ ନରସିଂହାଙ୍କୁ ତାଙ୍କ ଟଙ୍କା ଓ ରୂପା ଫେରାଇ ଦେବାକୁ କହିଥିଲେ। ମାତ୍ର ନରସିଂହା ଟଙ୍କା ଫେରାଇବା ବଦଳରେ ତାଙ୍କୁ ଉପେକ୍ଷା କରି ଚାଲିଛନ୍ତି। ନରସିଂହା ଏହି ପରି ଭାବେ ବହୁ ମହିଳାଙ୍କୁ ଠକିଛନ୍ତି। ସେମାନେ ଟଙ୍କା ମାଗିଲେ ବନ୍ଧୁକ ଦେଖାଇ ଧମକ ଦେଇ ବିଦା କରି ଦେଇଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ମହିଳାମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ନରସିଂହା ସେମାନଙ୍କୁ ବ୍ଲାକମେଲିଂ କରି ସେମାନଙ୍କ ସହତ ଶାରୀରିକ ସମ୍ପର୍କ ରଖିୁଥିବା ଅଭିଯୋଗ ହୋଇଛି। ଆମେ ତାଙ୍କୁ ପଚରାଉଚରା କରୁଛୁ ବୋଲି ଡିସିପି ଏମ ଭେଙ୍କଟେଶ୍ୱର କହିଛନ୍ତି।

ସମ୍ବନ୍ଧିତ ଖବର