ଥରିଲା ଇଜିପ୍ଟ: ଉତ୍ତର ସିନାଇ ମସଜିଦରେ ଆକ୍ରମଣ, ୨୦୦ ମୃତ

ଆଇଏସ୍‌ର ଆଉ ଏକ ବର୍ବର କାଣ୍ଡ

କାଇରୋ: ଇଜିପ୍‌୍‌ଟର ଉତ୍ତର ସିନାଇରେ ଆଜି ଇସ୍‌୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀମାନେ ଏକ ମସଜିଦ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି। ଭୟଙ୍କର ବିସ୍ଫୋରଣ ଏବଂ ଗୁଳିମାଡ଼ରେ ୨୦୦ ଜଣ ନିହତ ହୋଇଥିବା ବେଳେ ୧୨୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି। ଆତଙ୍କବାଦୀମାନେ ଆତ୍ମଘାତୀ ବୋମା ଏବଂ ସ୍ୱୟଂ ଚାଳିତ ବନ୍ଧୁକ ବ୍ୟବହାର କରି ଆକ୍ରମଣ କରିଥିବା ଜଣାପଡ଼ିଛି । ଅଲ୍‌ ରାଓ୍ଵଧ ମସ୍‌୍‌ଜିଦ୍‌ରେ ଶୁକ୍ରବାର ପ୍ରାର୍ଥନା ଚାଲିଥିବା ବେଳେ ଏହି ବର୍ବର ଆକ୍ରମଣ ଇଜିପ୍ଟକୁ ଥରାଇ ଦେଇଛି। ଅଧିକ ଆକ୍ରମଣ ଆଶଙ୍କାରେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି । ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତହ ଅଲ୍‌୍‌ ସିସି ଏକ ଜରୁରୀ ବୈଠକ ଡକାଇ ନିରାପତ୍ତା ସ୍ଥିତି ସମୀକ୍ଷା କରିଛନ୍ତି। ଉତ୍ତର ସିନାଇ ପ୍ରଦେଶରେ ଇସ୍‌୍‌ଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀମାନେ ସକ୍ରିୟ ରହିଥିବାରୁ ବିଭିନ୍ନ ସମୟରେ ସୁରକ୍ଷା ବାହିନୀ ସହ ସେମାନଙ୍କ ସଂଘର୍ଷ ହୋଇଛି। ଏହି ଅଂଚଳରେ ଆତଙ୍କବାଦୀମାନେ ସର୍ବଦା ସୁରକ୍ଷାବାହିନୀକୁ ହିଁ ଟାର୍ଗେଟ୍‌ କରି ଆସୁଥିବା ବେଳେ ପ୍ରଥମ ଥର ପାଇଁ ଏକ ମସ୍‌୍‌ଜିଦ୍‌ରେ ରକ୍ତ ନଦୀ ବୁହାଇଛନ୍ତି। ଉତ୍ତର ସିନାଇ ଅଂଚଳରେ ଆତଙ୍କବାଦୀଙ୍କୁ ମୂଳପୋଛ ପାଇଁ ଇଜିପ୍ଟ ସେନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ୪୦ରୁ ଅଧିକ ସ୍ଥାନରେ ସେନାର ଚଢ଼ଉ ଜାରି ରହିଛି। ଆଜିର ଆକ୍ରମଣରେ ୫ରୁ ଅଧିକ ଆଇଏସ୍‌ ଆତଙ୍କବାଦୀ ସାମିଲ ଥିବା ଜଣାପଡ଼ିଛି। ସିନାଇରେ ଏକ କମାଣ୍ଡ ସେଣ୍ଟର ସ୍ଥାପନ ପାଇଁ ଆଇଏସ୍‌ର ଉଦ୍ୟମକୁ କିଛିଦିନ ତଳେ ସେନା ପଣ୍ଡ କରିଦେଇଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଆତଙ୍କବାଦୀମାନେ ମସ୍‌ଜିଦ୍‌ ପରିସରରେ ଗୋଟିଏ ଶକ୍ତିଶାଳୀ ବୋମା ଖଞ୍ଜିଥିଲେ ଏବଂ ତାହା ପ୍ରାର୍ଥନା ଚାଲିଥିବା ବେଳେ ବିସ୍ଫୋରଣ ଘଟିଥିଲା। ଆଉ ଜଣେ ମାନବ ବୋମା ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲା। ଏହାପରେ ଦଳାଚକଟା ଭିତରେ ଶ୍ରଦ୍ଧାଳୁମାନେ ବାହାରକୁ ଆସିବା ବେଳେ ମୁଖ୍ୟ ଫାଟକରେ ରହି ଆତଙ୍କବାଦୀମାନେ ଗୁଳିବର୍ଷା କରିଥିଲେ। ନିରୀହ ଲୋକଙ୍କ ଉପରେ ଏଭଳି ଯୋଜନାବଦ୍ଧ ଆକ୍ରମଣ କାପୁରୁଷୋଚିତ କାର୍ଯ୍ୟ ବୋଲି ଇଜିପ୍‌୍‌ଟ ରାଷ୍ଟ୍ରପତି କହିଛନ୍ତି। ଇଜିପଟ୍‌ ସୀମାରେ ସୁରକ୍ଷା କଡ଼ାକଡ଼ି କରାଯାଇଥିବା ବେଳେ ରାଜଧାନୀ କାଇରୋରେ ମଧ୍ୟ ବ୍ୟାପକ ସତର୍କତା ପଦକ୍ଷେପ ନିଆଯାଇଛି ।

ସମ୍ବନ୍ଧିତ ଖବର