ଯୁବକଙ୍କୁ ଗୋଡ଼ାଇ ହାଣିଲେ

ବାଣୀବିହାର ଛକରେ ଦୁର୍ବୃତ୍ତଙ୍କ ଉନ୍ମତ୍ତକାଣ୍ଡ

ଭୁବନେଶ୍ୱର: ବୁଧବାର, ସମୟ ପାଖାପାଖି ଅପରାହ୍ଣ ୨ଟା। ବାଣୀବିହାର ଛକ ହୋଇ ଗଲା ରକ୍ତ ରଞ୍ଜିତ। ଜନଗହଳିପୂର୍ଣ୍ଣ ଏହି ଛକ ଉପରେ କେତେକ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣୁଥିଲେ। ଜୀବନ ବିକଳରେ ଯୁବକ ଜଣକ ଦୌଡୁଥିବାବେଳେ ଫିଲ୍ମ ଷ୍ଟାଇଲରେ ଦୁର୍ବୃତ୍ତମାନେ ତାଙ୍କୁ ଚୋଟ ପରେ ଚୋଟ ପକାଇ ଚାଇଥିଲେ। ଦୁର୍ବୃତ୍ତଙ୍କ ଏଭଳି ଆକ୍ରମଣ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଥିଲା। ଏଥିରେ ଭୋଟପଡ଼ା ଅଞ୍ଚଳର ବୁଲୁ ଭୋଇ ନାମକ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏ ନେଇ ସହିଦନଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ବଡ଼ କଥା ହେଉଛି, ଘଟଣା ସ୍ଥଳରେ ଟ୍ରାଫିକ୍‌ ପୁଲିସ ଥିବାବେଳେ ୫୦ ମିଟର ଦୂରରେ ଡିସିପିଙ୍କ କାର୍ଯ୍ୟାଳୟ, ଆଉ ୧୦୦ ମିଟର ଦୂରରେ ସହିଦନଗର ଥାନା ରହିଥିଲେ ମଧ୍ୟ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇବାକୁ ଭୟ କରି ନଥିଲେ। ଏଭଳି ଘଟଣା ଘଟିବା ପରେ ସାଧାରଣ ଲୋକଙ୍କ ସୁରକ୍ଷା ନେଇ ପୁଲିସ ଉପରୁ ଭରସା ତୁଟି ଯାଉଥିବା ଚର୍ଚା ହେଉଛି।

ସୂଚନା ମୁତାବକ, ଭିଏସ୍‌ଏସ୍‌ନଗର ସ୍ଥିତ ଏକ ସ୍କୁଲ୍‌ର ଜଣେ ଛାତ୍ରୀଙ୍କ ପ୍ରେମରେ ପଡ଼ିଥିବା ଯୁବକ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। କାରଣ ବୁଧବାର ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ଛାତ୍ରୀଙ୍କୁ ନେଇ ସ୍କୁଲର ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯୁବତୀଙ୍କୁ ଭଲ ପାଉଥିବା ଯୁବକଙ୍କୁ କେତେକ ଛାତ୍ର ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ। ଫୋନ ପାଇବାମାତ୍ରେ ୪ଟି ବାଇକ୍‌ରେ ୧୦ଜଣ ଦୁର୍ବୃତ୍ତ ଆସି ସ୍କୁଲରେ ପହଞ୍ଚିଥିଲେ। ସେହିପରି ଅନ୍ୟଗୋଷ୍ଠୀର ଛାତ୍ରମାନେ ବୁଲୁଙ୍କୁ ଫୋନ୍‌କରି ଜଣାଇଥିଲେ। ବୁଲୁ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ହେଲେ ପରିସ୍ଥିତି ଜଟିଳ ହେବାରୁ ବୁଲୁ ସହିଦନଗର ଥାନାରେ ଅଭିଯୋଗ କରିବାକୁ ଆସୁଥିଲେ। ତେବେ ଦୁର୍ବୃତ୍ତମାନେ ୪ଟି ବାଇକ୍‌ରେ ବୁଲୁଙ୍କୁ ପିଛା କରି ବାଣୀବିହାର ଛକ ପର୍ଯ୍ୟନ୍ତ ଆସିଥିଲେ। ଠିକ ବାଣୀବିହାର ଟ୍ରାଫିକ୍‌ର ୧୦ ମିଟର ପୂର୍ବରୁ ସେଠାରେ ଥିବା ମା’ ମଙ୍ଗଳା ହୋଟେଲ୍‌ ସମ୍ମୁଖରେ ଦୁର୍ବୃତ୍ତମାନେ ବୁଲୁଙ୍କୁ ପଛରୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ପ୍ରଥମେ ବୁଲୁଙ୍କ ପିଠିକୁ ଖଣ୍ଡାରେ ଚୋଟମାରି ଥିଲେ। ଫଳରେ ବୁଲୁ ବାଇକ୍‌ରୁ ଖସି ତଳେ ପଡ଼ିଯାଇଥିଲେ। ବୁଲୁ ତଳେ ପଡ଼ିବା ମାତ୍ରେ ଦୁର୍ବୃତ୍ତମାନେ ବୁଲୁଙ୍କ ଦୁଇ ଜଙ୍ଘ ସହ ବାମ ହାତକୁ ଖଣ୍ଡାରେ ଚୋଟ ମାରି ଚାଲିଥିଲେ। ବୁଲୁ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଜୀବନ ବିକଳରେ ଚିତ୍କାର କରିଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କୁ ଅଟକାଇବା ପାଇଁ କେହି ସାହସ କରି ନଥିଲେ। ଦୁର୍ବୃତ୍ତମାନଙ୍କ ଉତ୍ପାତରେ ଲୋକମାନେ ଭୟରେ ଏଣେତେଣେ ଦୌଡ଼ିଥିଲେ। ରାସ୍ତାରେ ଯାଉଥିବା ଲୋକ ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଲୁଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି। ଏନେଇ ସିଲୁ ଭୋଇ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ବାଣୀବିହାର ଛକରେ ଲାଗି ଥିବା ସିସି କ୍ୟାମେରାର ଫୁଟେଜ୍‌କୁ ଦେଖି ପୁଲିସ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର