ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୁଣ୍ଡ ଫାଟିଲା

ଥାନାରେ ଏତଲା

ଭୁବନେଶ୍ୱର: ପଳାଶୁଣି ଛକ ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ନେଇ ଆଜି ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ଯୁବକଜଣଙ୍କ ହେଲେ, ମହେଶ ନାମଦେବ (୨୫)। ପୁଲିସ ଏତଲାକୁ ଗ୍ରହଣ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସଂପୃକ୍ତ ୨ ଯୁବକ ଓ ୨ ଯୁବତୀଙ୍କୁ ଅଟକ ରଖିଛି। ତେବେ ୪ଜଣ ଯାକ ପ୍ରଚୁର ମଦ ପିଇଥିବାରୁ ପୁଲିସ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ କ୍ୟାପିଟାଲକୁ ପଠାଇ ଦେଇଛି। ଆକ୍ରମଣର ଶିକାର ଯୁବକ ମହେଶଙ୍କ ଅଭିଯୋଗ ଅନୁଯାୟୀ, ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ସେ ପଳାସୁଣି ଛକ ନିକଟରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଯାଉଥିବା ଏକ କାର୍‌ ତାଙ୍କ ଉପରକୁ କାଦୁଅ ପାଣି ଛିଟିକାଇ ଥିଲା। ତେବେ ମହେଶ ଏହାର ପ୍ରତିବାଦ କରିବାରୁ କାର୍‌ ଭିତରୁ ୨ ଜଣ ଯୁବକ ଓ ୨ଜଣ ଯୁବତୀ ବାହାରି ତାଙ୍କୁ ମିଳିତ ଭାବେ ଆକ୍ରମଣ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ପ୍ରଥମେ ମହେଶଙ୍କ ମୁଣ୍ଡକୁ ଆକ୍ରମଣ କରିବା ପରେ ସମସ୍ତେ ମିଳିମିଶି ମହେଶଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ମହେଶଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଆକ୍ରମଣକାରୀମାନେ ନିଶାସକ୍ତ ଅବସ୍ଥାରେ ଥିଲେ ବୋଲି ମହେଶ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର