ଯୁବକଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ

ଖଣ୍ଡଗିରି: ଗତ ୧୩ ତାରିଖ ରାତିରେ ଆଇଗିଣିଆ ଓଭରବ୍ରିଜ୍‌ ନିକଟରେ ସ୍ଥାନୀୟ ସରକନ୍ତରା ଗାଁର ବଳରାମ ମହାପାତ୍ରଙ୍କୁ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ ଆକାଶ ଓରଫ୍‌ ବିକେ ବିଶ୍ୱେଶର ଷଡ଼ଙ୍ଗୀକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ଆକାଶକୁ କୋର୍ଟ ଚାଲାଣ କରାଯାଇଛି। କିନ୍ତୁ ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଆକାଶର ଆଉ ୩ ଜଣ ସହଯୋଗୀଙ୍କୁ ଗିରଫ କରିବା ପାଇଁ ଖଣ୍ଡଗିରି ଥାନା ପୁଲିସ ଉଦ୍ୟମ ଜାରି ରଖିଛି।

ସୂଚନାନୁସାରେ ଗତ ୧୩ ତାରିଖ ରାତି ପ୍ରାୟ ସାଢ଼େ ୮ଟାରେ ବଳରାମ କୌଣସି କାମ ସାରି ସ୍ଥାନୀୟ ଦାମୋଦରପୁର ଗାଁରୁ ବାଇକ୍‌ (ଓଆର୍‌ ୩୩ ବିଜି-୫୬୩୪) ଯୋଗେ ଏକୁଟିଆ ଘରକୁ ଫେରୁଥିଲେ। ସେ ଓଭରବ୍ରିଜ୍‌ ପାର୍‌ ହୋଇ ଡୁମୁଡୁମା ହାଉସିଂବୋର୍ଡ କଲୋନି ଦେଇ ସରକନ୍ତରାସ୍ଥିତ ତାଙ୍କ ଘରକୁ ଯାଉଥିିଲେ। ସେ ଓଭରବ୍ରିଜ୍‌ ପାର୍‌ ହୋଇ ଆଇଗିଣିଆସ୍ଥିତ ହର୍ଟିକଲ୍‌ଚର ଫାର୍ମ ଗେଟ୍‌ ନିକଟରେ ପହଞ୍ଚିଥିବା ବେଳେ ପୂର୍ବରୁ ଛକି ରହିଥିବା ୪ ଜଣ ତାଙ୍କୁ ଅଟକାଇ ଅତର୍କିିତ ଆକ୍ରମଣ କରିଥିଲେ। ଭୁଜାଲି ଚୋଟରେ ବଳରାମ ଆହତ ହୋଇ ତଳେ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଆକ୍ରମଣକାରୀମାନେ ତାଙ୍କଠାରୁ ସୁନାଚେନ୍‌ ଓ ୨୦ ହଜାର ଟଙ୍କା ଲୁଟି ନେଇଥିଲେ। ତେବେ ଏତିକି ବେଳେ ସେହି ରାସ୍ତାରେ କିଛି ଲୋକ ଆସିଯିବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଗୁରୁତର ଆହତ ଅବସ୍ଥାରେ ବଳରାମଙ୍କୁ ତୁରନ୍ତ ଏମ୍‌ସକୁ ନିଆଯାଇଥିଲା। ଖବର ପାଇ ବଳରାମଙ୍କ ପରିବାରଲୋକେ ଏମ୍‌ସରେ ପହଞ୍ଚି ତାଙ୍କଠାରୁ ଆକ୍ରମଣକାରୀମାନଙ୍କ ବାବଦରେ ଜାଣିବାକୁ ପାଇଥିଲେ। ପରଦିନ ଅର୍ଥାତ୍‌ ୧୪ ତାରିଖରେ ବଳରାମଙ୍କ ସ୍ତ୍ରୀ ସୀତା ମହାପାତ୍ର ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ପଡ଼ୋଶୀ ଲାଲା ଷଡ଼ଙ୍ଗୀ, ତାଙ୍କ ପୁଅ ଆକାଶ ଷଡ଼ଙ୍ଗୀ, ବଳିଆ ସେଠୀ ଓ ବିଶ୍ୱଜିତ୍‌ ଏମିତି ୪ ଜଣ ମିଶି ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧିତ ଖବର