ଦାଦାବଟି ନ ଦେବାରୁ ପ୍ରାଣାନ୍ତକ ଆକ୍ରମଣ

ପୁରୁଣା ଭୁବନେଶ୍ୱର: ଦାଦାବଟି ନ ଦେବାରୁ ଶ୍ରୀଲିଙ୍ଗରାଜ ଥାନା ଅଧୀନ ସାନେଟାରିୟମ୍‌ ଛକରେ ଜଣେ ବ୍ୟବସାୟୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଛନ୍ତି, ସେଠାରେ ସାର ଦୋକାନ କରିଥିବା ଧଉଳି ଥାନା ଅଧୀନ ଗଙ୍ଗୋତ୍ରୀ ନଗରର ସୁଧାକର ସାହାଣୀ(୪୨)। ପୁଲିସ ସୂଚନା ଅନୁଯାୟୀ, ସୁଧାକର ଦୋକାନରେ ସନ୍ଧ୍ୟା ଧୂପ ଦେଉଥିବା ବେଳେ ତପନ ଖଟେଇ ଓ ତା’ର ଦୁଇଜଣ ସହଯୋଗୀ ତାଙ୍କୁ ବଟି ମାଗିଥିଲେ। ସେ ବଟି ନ ଦେବାରୁ ତାଙ୍କ ଦୋକାନକୁ ଟେକା ଫୋପାଡ଼ିଥିଲେ। ପରେ ଏକ କଟୁରିରେ ଆକ୍ରମଣ କରିଥିଲେ। ଏଥିରେ ସୁଧାକରଙ୍କ ଡାହାଣ ହାତ ଆଙ୍ଗୁଠି କଟି ଯାଇଥିଲା। ପରେ ତାଙ୍କ ଦୋକାନରୁ ୧୭ହଜାର ଟଙ୍କା ଓ ସେ ପିନ୍ଧିଥିବା ଏକ ସୁନା ଚେନ୍‌କୁ ନେଇ ପଳାଇଥିଲେ। ସ୍ଥାନୀୟ ଲୋକ ସୁଧାକରକୁ ଉଦ୍ଧାର କରି ବିଏମ୍‌ସି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏ ସଂପର୍କରେ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଥାନା ଅଧିକାରୀଙ୍କ କହିବା ଅନୁଯାୟୀ, ତପନ ନାମରେ ଏକାଧିକ ମାମଲା ରହିଛି। ନିର୍ବାଚନ କାମରେ ପୁଲିସ ବ୍ୟସ୍ତ ଥିବା ସୁଯୋଗ ନେଇ ସେ ଏପରି ଅପରାଧ ଘଟାଇଛି। ଆଲିସା ମାର୍କେଟରେ ବଟି ଆଦାୟ କରି ବୋମା ପକାଇବା ଓ ବ୍ରଜବନ୍ଧୁ କଲ୍ୟାଣ ମଣ୍ଡପର ମ୍ୟାନେଜରଙ୍କୁ ବଟି ମାଗି ପ୍ରାଣାନ୍ତକ ଆକ୍ରମଣ କରିବା ନେଇ ପୂର୍ବରୁ ମାମଲା ରହିଛି। ଖୁବ୍‌ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର