ଘରେ ପଶି ଶାଶୂ ଓ ବୋହୂକୁ ମାଡ଼, ୨ ଅଟକ

ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ବେଣ୍ଟପୁର ଗ୍ରାମର ପିତବାସ ଦାଶଙ୍କ ପତ୍ନୀ ଶ୍ରଦ୍ଧାଞ୍ଜଳି ତ୍ରିପାଠୀ (୪୨) ଓ ମା’ ହୈମବତୀ ଦାଶ (୬୦)ଙ୍କୁ ତାଙ୍କ ପଡ଼ୋଶୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ବୃଦ୍ଧା ହୈମବତୀଙ୍କ ହାତ ଓ ଶରୀରରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି। ଅପରପକ୍ଷେ ଗଣ୍ଡଗୋଳ ସମୟରେ ଶ୍ରଦ୍ଧାଞ୍ଜଳିଙ୍କ ନାବାଳକ ପୁଅ ଆକ୍ରମଣକାରୀଙ୍କ ଫଟୋ ଉଠାଇବାକୁ ଉଦ୍ୟମ କରିବାରୁ ସେମାନେ କ୍ୟାମେରା ଛଡ଼ାଇ ନେଇ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଶ୍ରଦ୍ଧାଞ୍ଜଳି ଆଜି ଅପରାହ୍‌ଣରେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି। ଶ୍ରଦ୍ଧାଞ୍ଜଳିଙ୍କ ଅଭିଯୋଗ ମୁତାବକ ତାଙ୍କ ସ୍ୱାମୀ ଏକ ଜରୁରୀ କାମରେ ବାହାରକୁ ଯାଇଥିବା ବେଳେ ତାଙ୍କ ଦାଦାଶୁର ବାଳକୃଷ୍ଣ ଦାଶ, ଦିଅର ବିଘ୍ନେଶ୍ୱର ଦାଶ ଓ ଅନ୍ୟମାନେ ଘରେ ପଶି ଶାଶୁ ହୈମବତୀ ଓ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହି ସମୟରେ ତାଙ୍କ ନାବାଳକ ପୁଅ ଆକ୍ରମଣକାରୀ ଅଭିଯୁକ୍ତଙ୍କ ଫଟୋ ଉଠାଇବା ପାଇଁ ଉଦ୍ୟମ କରିବାରୁ ସେମାନେ ତା’ ହାତରୁ କ୍ୟାମେରା ଛଡ଼ାଇ ନେଇ ଭାଙ୍ଗି ଦେଇଥିଲେ। ଶ୍ୱଶୁର ରାଧାକୃଷ୍ଣ ଦାଶଙ୍କ ମତ୍ୟୁ ପରେ ଭାଇଭାଗ ସମ୍ପତ୍ତି ପାଇବାରୁ ସେମାନଙ୍କୁ ବଞ୍ଚିତ କରାଯାଇଥିବା ଶ୍ରଦ୍ଧାଞ୍ଜଳି ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଶ୍ରଦ୍ଧାଞ୍ଜଳିଙ୍କ ଅଭିଯୋଗକୁ ଆଧାର କରି ବାଲିଅନ୍ତା ଥାନା ପୁଲିସ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର