ବିଚ ରାସ୍ତାରେ ଯୁବତୀଙ୍କୁ ଅସଦାଚରଣ : ଏସିଡ୍‌ ମାଡ଼ ଧମକ

ଭୁବନେଶ୍ୱର : ଏକ ତରଫା ପ୍ରେମରେ ବାରମ୍ବାର ଅସଫଳ ହେଲା ପରେ ଆଜି ଜଣେ ଯୁବକ ଜଣେ ଯୁବତୀଙ୍କୁ ବିଚ ରାସ୍ତାରେ ଟଣାଓଟରା କରି ଉଠାଇ ନେବାକୁ ଚେଷ୍ଟା କରିଥିଲା। ଯୁବତୀ ଜଣକ ଏହାକୁ ବିରୋଧ କରିବାରୁ ଉତ୍ତ୍ୟକ୍ତ ହୋଇ ଯୁବକ ଜଣକ ତାଙ୍କ ମୁହଁରେ ଏସିଡ୍‌ ପକାଇବା ପାଇଁ ଧମକ ଦେଇଥିଲା। ତେବେ ସ୍ଥାନୀୟ ଲୋକ ତାକୁ କାବୁ କରି ପୁଲିସ ଜିମାରେ ଦେଇଥିଲେ। ଏନେଇ ଯୁବତୀ ଜଣକ ଆଜି ଖାରବେଳ ନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଯୁବକକୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନାନୁଯାୟୀ ଖାରବେଳ ନଗର ପ୍ରେସ କଲୋନି ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କୁ ସେହି ଅଞ୍ଚଳର ଜଣେ ଯୁବକ ପ୍ରେମ ନିବେଦନ କରି ଆସୁଥିଲେ। ମାତ୍ର ଯୁବତୀ ଜଣଙ୍କ ଏହାକୁ ପ୍ରତ୍ୟାଖାନ କରି ଆସୁଥିଲେ। ଏକଥା ଘରେ କହିବାପରେ ଯୁବତୀଙ୍କ ମା’ ଯୁବକଙ୍କୁ ତାଗିଦ ମଧ୍ୟ କରିଥିଲେ। ଏଥିରେ ଯୁବକ ଜଣଙ୍କ ଚୁପ ହେବା ପରିବର୍ତେ ଯୁବତୀଙ୍କ କଲେଜକୁ ଯାଇ ତାଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ। ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ଯୁବତୀ ଓ ତାଙ୍କ ସାଙ୍ଗ କମ୍ପ୍ୟୁଟର୍‌ କ୍ଲାସ ଯାଉଥିବା ସମୟରେ ଯୁବକ ଜଣକ ହଠାତ ତାଙ୍କୁ ତାଙ୍କ ଗାଡ଼ିରେ ବସିବାକୁ କହିଥିଲେ। ଯୁବତୀ ତାଙ୍କୁ ଗାଡ଼ିରେ ବସିବାକୁ ମନା କରିବାରୁ ରାସ୍ତା ମଝିରେ ସେ ଟଣା ଓଟରା କରିବା ଆରମ୍ଭ କରିଥିଲା। ସାଙ୍ଗରେ ନଗଲେ ଏସିଡ୍‌ ମାଡ଼ କରିବାକୁ ଧମକ ମଧ୍ୟ ଦେଇଥିଲେ। ଯୁବତୀ ଜଣକ ଚିତ୍କାର କରିବାରୁ ପଖରେ ଥିବା କିଛି ଲୋକ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ କାବୁ କରିଥିଲେ।

ସମ୍ବନ୍ଧିତ ଖବର