ସୁଦର୍ଶନ ଦେବଙ୍କ ଦାରୁପୀଠରେ ଯୁବତୀଙ୍କୁ ଦୁର୍ବ୍ୟବହାର

ବାଲିଅନ୍ତା : ବାଲିଅନ୍ତା ଥାନା ଅନ୍ତର୍ଗତ ଗଡ଼ କଣ୍ଟୁଣିଆ ସ୍ଥିତ ସୁଦର୍ଶନ ଦେବଙ୍କ ଦାରୁପୀଠରେ ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯିବା ସହ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏ ସଂପର୍କରେ ବାଲିଅନ୍ତା ବ୍ଲକ ଅଧୀନ ବଇଁଚୁଆ ଅଞ୍ଚଳର ଯୁବତୀ ଜଣକ ତାଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଗ୍ରହଣ କରି ପୁଲିସ କେସ୍‌ ନମ୍ବର ୧୦୨/୧୮ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଯୁବତୀ ଜଣଙ୍କ ଥାନାରେ କରିଥିବା ଅଭିଯୋଗ ମୁତାବକ ତାଙ୍କର ବାପା ନରେଶ ଚନ୍ଦ୍ର ଦାଶ ଦାରୁପୀଠରେ ରହି କାମ କରନ୍ତି। ଗତ ୨୧ ତାରିଖ ଦିନ ପ୍ରାୟ ଗୋଟାଏ ସମୟରେ ସେ ତାଙ୍କ ମାଆ, ମାଉସୀ ଓ ମାଉସୀ ଝିଅ ଭଉଣୀଙ୍କ ସହିତ ଏଠାକୁ ଆସଥିଲେ। ନନା କାହାନ୍ତି ବୋଲି ଜଣେ ଯୁବକଙ୍କୁ ପଚାରିଥିଲେ। ଏହାପରେ କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ସେଠାରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ଯୁବକ ଜଣକ ସେମାନଙ୍କୁ ଗାଳିମନ୍ଦ କରିବା ସହିତ ମାଡ଼ମାରି ଘଉଡ଼ାଇ ଦେବାକୁ ଉଦ୍ୟମ କରିଥିଲେ। ଯୁବକ ଜଣକ ଠେଙ୍ଗା ଉଠାଇ ଯୁବତୀ ଓ ତାଙ୍କ ସହ ଥିବା ଅନ୍ୟ ମହିଳାମାନଙ୍କୁ ମାଡ଼ମାରିବାକୁ ଉଦ୍ୟମ କରିବାର ଭିଡିଓ ଭାଇରାଲ ହୋଇଛି। ସୁଦର୍ଶନ ଦେବଙ୍କ ପୀଠରେ ମହିଳାମାନଙ୍କ ପ୍ରତି ଏଭଳି ବ୍ୟବହାରକୁ ସାଧାରଣରେ ଘୋର ନିନ୍ଦା କରାଯାଇଛି। ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଚଢ଼ଉ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର