ଆଇନଜୀବୀଙ୍କୁ ସଂଘବଦ୍ଧ ଆକ୍ରମଣ, ୪ ଗିରଫ

ଭୁବନେଶ୍ୱର: ୟୁନିଟ୍‌-୮ସ୍ଥିତ ପାଇକନଗରରେ ରହୁଥିବା ଜଣେ ଆଇନଜୀବୀଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ଆଜି ନୂଆପଲ୍ଲୀ ଥାନା ପୁଲିସ ୪ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ, ଖଣ୍ଡଗିରି ଥାନା ରଙ୍ଗଣାସହି ବସ୍ତିର ବିଶ୍ୱଜିତ୍‌ ରାଉତ, ସମୀର ସ୍ୱାଇଁ, ସତ୍ୟନାରାୟଣ ସାହୁ ଏବଂ ବରମୁଣ୍ଡା ଭାଗବତବସ୍ତିର ସନ୍ତୋଷ ସାହୁ। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି। ପୁଲିସ ସୂଚନା ମୁତାବକ, ସୋମବାର ରାତି ପ୍ରାୟ ୯ଟାରେ ଆଇନଜୀବୀ ଶୁଭେନ୍ଦ୍ର ସାହାଣୀ ଘରେ ଥିବା ସମୟରେ ବିଶ୍ୱଜିତ, ସମୀର, ସତ୍ୟନାରାୟଣ, ସନ୍ତୋଷ ଏବଂ ସେମାନଙ୍କ ୧୫-୨୦ ସହଯୋଗୀ ତାଙ୍କ ଘର ସମ୍ମୁଖରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପାଟିତୁଣ୍ଡ ଶୁଣି ଶୁଭେନ୍ଦ୍ର ବାହାରକୁ ଆସି ସେମାନଙ୍କୁ ତାଗିଦ୍‌ କରିବାରୁ ଯୁବକମାନେ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ମୁଣ୍ଡ ଫାଟିଯିବା ସହ ଶରୀର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ଏନେଇ ଶୁଭେନ୍ଦ୍ର ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

ସମ୍ବନ୍ଧିତ ଖବର