ପ୍ରେମିକକୁ ବାନ୍ଧି ପିଟିଲେ

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ସାଇଫନ୍‌ ଛକ ନିକଟରେ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟା ସମୟରେ ସ୍ଥାନୀୟ ଯୁବକମାନେ ଜଣେ ବିବାହିତ ପୁରୁଷକୁ ନିର୍ଧୁମ ମାଡ଼ ମାରିଛନ୍ତି। ଏତିକିରେ ସେମାନଙ୍କର ରାଗ ଶାନ୍ତ ପଡ଼ି ନଥିଲା। ପୁଲିସକୁ ଜଣାଇ ତାଙ୍କୁ ହସ୍ତାନ୍ତର କରିବା ପରିବର୍ତେ ତାଙ୍କ ସ୍ତ୍ରୀ ଓ ଘର ଲୋକଙ୍କୁ ଫୋନ କରି ଡକାଇଥିଲେ। ଖବର ପାଇ ଘର ଲୋକ ସେଠାରେ ପହଞ୍ଚି ଥିଲେ। ସେମାନଙ୍କ ଉପସ୍ଥିତିରେ ଅଭିଯୁକ୍ତ ଯୁବକ ଚୁକ୍ତିପତ୍ରରେ ଯୁବତୀଙ୍କ ସହ ଆଉ ପ୍ରେମ ସଂପର୍କ ରଖିବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ତାଙ୍କୁ ଛାଡ଼ି ଦେଇଥିଲେ। ସବୁଠାରୁ ବଡ଼କଥା ହେଉଛି ଆଇନ୍‌କୁ ହାତକୁ ନେଇ ଦୁଇଘଣ୍ଟା ପର୍ଯ୍ୟନ୍ତ ସଂପୃକ୍ତ ଅଭିଯୁକ୍ତକୁ ଏହି ଯୁବକମାନେ ଅଟକ ରଖି ଏଭଳି କାଣ୍ଡ କରିଥିଲେ ହେଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାରି ନଥିଲା। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରାପ୍ତସୂଚନା ଅନୁଯାୟୀ ଏହି ଯୁବକ ଜଣକ ବିବାହିତ ଓ ତାଙ୍କ ଘର ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିପୁର। ରଙ୍ଗନ ନମ୍ବର୍‌ରୁ ସେ ଜଣେ ଛାତ୍ରୀଙ୍କୁ ପ୍ରେମ କରି ବସିଥିଲେ। ଯୁବତୀ ଜଣଙ୍କ ଭୁବନେଶ୍ୱରରେ ଏକ ସରକାରୀ କଲେଜରେ ଡିଗ୍ରି ପଢ଼ୁଛନ୍ତି। ସେ ତାଙ୍କୁ ବିଭିନ୍ନ ସମୟରେ ହଇରାଣ କରୁଥିଲେ। ଆଜି ସେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ଆଉ କୌଶଳ କରି ଯୁବତୀ ଜଣଙ୍କ ତାଙ୍କୁ ଉକ୍ତ ନିଛାଟିଆ ଜାଗାକୁ ଡକାଇଥିଲେ। ଏପଟେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଲୋକମାନେ ତାଙ୍କୁ ଘେରିଯାଇ ମାର୍‌ପିଟ କରିବା ସହ ଅଟକ ରଖିଥିଲେ। ଅନ୍ୟପକ୍ଷରେ ଉଭୟ ଯୁବକ ଯୁବତୀଙ୍କ ମଧ୍ୟରେ ଦୀର୍ଘଦିନରୁ ପ୍ରେମ ସଂପର୍କ ଥିଲା। ଲୋକଙ୍କ ନଜରେ ଧରାପଡ଼ିଯିବାରୁ ଯୁବତୀ ଜଣକ ପ୍ରେମିକକୁ ଫସାଇ ଦେଇଥିବା ନେଇ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର